ସୋମବାରଠୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ, ୪୨ ଡିଗ୍ରୀ ଛୁଇଁପାରେ ପାରଦ

Published By : Prameya-News7 Bureau | April 15, 2024 IST

ଭୁବନେଶ୍ୱର ୧୫।୦୪: ରାଜ୍ୟକୁ ଉତ୍ତର, ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବଢୁଛି । ଏଥିପାଇଁ ଦିନବେଳା ତାତି ବଢ଼ିଚାଲିଛି । ଆଗକୁ ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ଛୁଇଁପାରେ । ପ୍ରଚଣ୍ଡ ତାତି ଯୋଗୁ ସୋମବାରଠାରୁ ରାଜ୍ୟରେ  ଗ୍ରୀଷ୍ମପ୍ରବାହ ହେବ । ପୁଣି ଲୋକଙ୍କୁ କଲବଲ କରିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । 

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ  ଅନୁସାରେ, ରାଜ୍ୟକୁ ଆସୁଥିବା ଗରମ   ପବନ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବଢ଼ିଯିବ । ଅନେକ ସ୍ଥାନରେ  ତାତି ୪ରୁ ୬ ଡିଗ୍ରୀ ବଢ଼ିବ । ରାଜ୍ୟର  ଅଧିକାଂଶ ଅଞ୍ଚଳରେ ତାତି ୪୦ଡିଗ୍ରୀ  ଉପରେ ରହିବ । ସୋମବାର କଟକ,  ନୟାଗଡ଼, ଢେଙ୍କାନାଳ, ଯାଜପୁର ଓ  ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ବହିବ। ଏ ସବୁ ଜିଲ୍ଲା  ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ନୟାଗଡ଼, ଝାରସୁଗୁଡ଼ା, ଭବାନୀପାଟଣା, ବାରିପଦା  ଓ ଚାନ୍ଦବାଲିରେ ତାତି ୪୧ ଡିଗ୍ରୀ ଛୁଇଁପାରେ । 

୧୬  ତାରିଖରେ କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ,  ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦୁଝର ଓ କନ୍ଧମାଳରେ  ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ନୟାଗଡ଼ ଓ  ଝାରସୁଗୁଡ଼ାରେ ତାତି ୪୨ ଡିଗ୍ରୀ ଛୁଇଁବ । ସୁନ୍ଦରଗଡ଼,  ସମ୍ବଲପୁର, ରାଉରକେଲା, ବାରିପଦା, ଅନୁଗୁଳ,  ଭବାନୀପାଟଣା, ପାରଳାଖେମୁଣ୍ଡି, ଭୁବନେଶ୍ୱର,  ଯାଜପୁର, ଚାନ୍ଦବାଲିରେ ତାତି ୪୧ ଡିଗ୍ରୀ ରହିବ  ବୋଲି ଆକଳନ କରିଛି ପାଣିପାଗ ବିଭାଗ । 

୧୭ ଓ ୧୮ ତାରିଖରେ କଟକ, ଖୋର୍ଦ୍ଧା,  ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ,  ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ମାଲକାନଗିରି  ଓ କୋରାପୁଟ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ  ପ୍ରବାହିତ ହୋଇପାରେ । ଏହି ୧୫ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି । ଗ୍ରୀଷ୍ମପ୍ରବାହକୁ  ଆଖି ଆଗରେ ରଖି ଲୋକଙ୍କୁ ସତର୍କ କରାଇଛି  ପାଣିପାଗ ବିଭାଗ । ଜରୁରୀ ନଥିଲେ୧୧ଟାରୁ ୩ଟା  ଯାଏ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।  ବାହାରକୁ ଯାଉଥିଲେ ସତର୍କତାମୂଳକ ପଦକ୍ଷେପ  ନେଇ ଯିବାକୁ କୁହାଯାଇଛି । 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.