ଜୌସିଣ୍ଡା ଆର୍ଡର୍ଣ୍ଣଙ୍କ ସ୍ଥାନରେ କିଏ ? ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକମାତ୍ର ଦାବିଦାର କ୍ରିସ୍ ହିପକିଂସ୍

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଆଗାମୀ ପ୍ରଧାନମନ୍ତ୍ରୀ କିଏ ? ଜୌସିଣ୍ଡା ଆର୍ଡର୍ଣ୍ଣଙ୍କ ସ୍ଥାନ କିଏ ନେବେ ?  ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ଏହାରି ଭତିରେ କ୍ରିସ୍ ହିପକିଂସଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ରିସ୍ ହିପକିଂସ୍ ଜୌସିଣ୍ଡା ଆର୍ଡର୍ଣ୍ଣଙ୍କ ସ୍ଥାନ ନେବା ସହିତ ନ୍ୟୁଜିଲାଣ୍ଡର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଛି ।

କିଏ ଏଇ କ୍ରିସ୍ ହିପକିଂସ? କ’ଣ ତାଙ୍କର ରାଜନୈତିକ ପୃଷ୍ଠଭୂମି ? କାହିଁକି ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ? ଲେବର ପାର୍ଟିର ନେତା ହେଉଛନ୍ତି କ୍ରିସ୍ ହିପକିଂସ । ଗୁରୁବାର ଜୌସିଣ୍ଡା ଆର୍ଡର୍ଣ୍ଣଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ସେ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ଅନ୍ୟପଟେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ପଦ ପାଇଁ ଲେବର ପାର୍ଟି ପକ୍ଷରୁ ଏକମାତ୍ର ଆଶାୟୀ ହେଉଛନ୍ତି କ୍ରିସ୍ ହିପକିଂସ। ହେଲେ ହିପକିଂସ୍ ପ୍ରଧାନମନ୍ତ୍ରୀ ପଦରେ କେତେ ସମୟ ରହିବେ ତାହା ଅନିଶ୍ଚିତତା ଭିତରେ ରହିଛି, କାରଣ ଆସନ୍ତା ଆକ୍ଟୋବର ମାସରେ ନ୍ୟୁଜିଲାଣ୍ଡରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହେବ।  

 ୨୦୦୮ରେ ପ୍ରଥମ ଥର ପାଇଁ କ୍ରିସ୍ ହିପକିଂସ ସାଂସଦ ଭାବେ ଚୟନ ହୋଇଥିଲେ । କୋଭିଡ୍-୧୯ ମ୍ୟାନେଜମେଣ୍ଟ ପାଇଁ ୨୦୨୨ ନଭେମ୍ବରରେ ତାଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା । ୪୪ ବର୍ଷୀୟ କ୍ରିସ୍ ହିପକିଂସ ବର୍ତ୍ତମାନ ଗୃହ ବିଭାଗ, ଶିକ୍ଷା ଏବଂ ସାର୍ବଜନିକ ସେବା ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି । ୨୦୦୮ରୁ ଏପର୍ଯ୍ୟନ୍ତ ଲଗାତାର ପଞ୍ଚମ ଥର ପାଇଁ ରେମୁଟକା ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପୂର୍ବରୁ ରବିବାର ତାଙ୍କୁ ସଂସଦରେ ପାର୍ଟି ଅଧ୍ୟ ପାଇଁ ଘୋଷଣା କରାଯାଇଥିଲା । ଫେବ୍ରୁଆରୀ ୭ ତାରିଖରେ ପିଏମ ଜୌସିଣ୍ଡା ଆର୍ଡର୍ଣ୍ଣ ନିଜ ଇସ୍ତଫା ପତ୍ର ଗଭର୍ଣ୍ଣର ଜେନେରାଲଙ୍କୁ ପ୍ରଦାନ କରିବେ। ଏହା ପରେ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ କ୍ରିସ୍ ହିପକିଂସ ନିଯୁକ୍ତି ହେବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.