୮ ଦିନ ହେଲାଣି ଜଳୁଛି ଓଡିଶା, ଆଗକୁ ବଢିବ ଆହୁରି ତାତି

Published By : Prameya-News7 Bureau | April 23, 2024 IST

ଭୁବନେଶ୍ୱର ୨୩।୦୪ : କଲବଲ କରିବ ତାତି। ଲମ୍ବି ଯାଇଛି ଗ୍ରୀଷ୍ମ ପ୍ରବାହ । ଲଗାତାର ୮ ଦିନ ହୋଇଗଲାଣି ଜଳୁଛି ଓଡ଼ିଶା । ଡରାଇଲାଣି ପାଣିପାଗର ତାଜା ପୂର୍ବାନୁମାନ- ଆହୁରି ଭୟାନକ ହେବ ଏ ଗ୍ରୀଷ୍ମ ପ୍ରବାହ । ଦୁଇଦିନ ପରେ ତାତିର ଯେମିତି ବିସ୍ଫୋରଣ ହେବ। ତାପମାତ୍ରା ୪୬ ଡେଇଁଯିବ । ଛଟପଟ କରିବ ତାତି । ବଡ଼ ବର୍ଷାର ଆଶା ଦେଖାଯାଉନି । 

ରାଜ୍ୟସାରା ସ୍ଥିତି ସାଂଘାତିକ୍‌ । ଏପ୍ରିଲ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୦ ଦିନକୁ ଲମ୍ବିଲାଣି । ୮ ଦିନ ଲଗାତାର ପ୍ରଚଣ୍ଡ ଅଗ୍ନି ବର୍ଷାରେ ସାରା ରାଜ୍ୟର ହୋସ୍‌ ଉଡ଼ିଗଲାଣି । ଗତବର୍ଷ ମାତ୍ର ୫ ଦିନ ଗ୍ରୀଷ୍ମ ପ୍ରବାହ ଏପ୍ରିଲରେ ହୋଇଥିଲା । ସାଧାରଣତଃ ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧ରୁ ୩ ଭିତରେ ରହିବା କଥା । କିନ୍ତୁ ଚଳିତ ବର୍ଷ ଏବେ ଯାଏଁ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୩ ଗୁଣାରୁ ଅଧିକ ବଢ଼ିଗଲାଣି।

ଆଗକୁ ଆହୁରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ମାଡ଼ିଆସୁଛି । ଆସନ୍ତା ୨୫ ଓ ୨୬ ତାରିଖରେ ରାଜ୍ୟରେ ଭୀଷଣ ତତଲା ପବନ ବୋହିବ । ୫/୭ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ । ରାତି ବି ତାତିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ ଦେଇଛି ।

ସୋମବାର କାଳବୈଶାଖୀ ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି କମିଛି । କିନ୍ତୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ପ୍ରଚଣ୍ଡ ତାତିରେ ଆଉଟପାଉଟ ହୋଇଛି । ଚଳିତ ବର୍ଷ ୧୬ ଜିଲ୍ଲାରୁ ଅଂଶୁଘାତ ଘଟଣା ଆସିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । 

ପାଣିପାଗ ବିଭାଗର ତାଜା ଆକଳନ ଅନୁସାରେ, କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆଜି କିଛି ସ୍ଥାନରେ ତାତି କମିଛି । ମଙ୍ଗଳବାର ବି କମିବ । କିନ୍ତୁ ଆଗକୁ ଆହୁରି ବିପଜ୍ଜନକ ଗ୍ରୀଷ୍ମପ୍ରବାହ ବହିବ । ୨୫ରୁ ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହ ବଢ଼ିବ । ୨୬ରେ ଏହା ବର୍ତ୍ତମାନର ଗ୍ରୀଷ୍ମପ୍ରବାହକୁ ଟପିଯିବ ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଅଳ୍ପ କିଛି ସ୍ଥାନକୁ ଛାଡ଼ି ଅନ୍ୟ ସ୍ଥାନରେ ତାତି କମିବାର ସମ୍ଭାବନା ନାହିଁ । ୨୩ ତାରିଖରେ କୋରାପୁଟର କିଛି ଅଞ୍ଚଳରେ ବର୍ଷା ହୋଇପାରେ ।  ୨୪ରେ କୋରାପୁଟ, ଗୁଡ଼ାରୀ, ଗଜପତି, ଗୁଣପୁର, ଫୁଲବାଣୀ, ବାଲିଗୁଡ଼ା ଭଳି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୬ ତାରିଖ ଯାଏ ରାଜ୍ୟର ଅନ୍ୟ ସ୍ଥାନରେ ବିଶେଷ ବର୍ଷା ନାହିଁ । ୪ ଦିନ ଭିତରେ ଉତ୍ତର ଓଡ଼ିଶାରେ ତାତି ଅଧିକ ରହିବ ।  କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଉତ୍ତର ବାଲେଶ୍ୱରରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିତ ଡ. ଉମାଶଙ୍କର ଦାସ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ବି କେତେକ ସ୍ଥାନରେ ବର୍ଷା ହୋଇପାରେ । ୨୬ ତାରିଖଠାରୁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ବହିବ ବୋଲି ସେ ସତର୍କ କରାଇଛନ୍ତି । ସୋମବାର ସନ୍ଧ୍ୟାରେ ଭଦ୍ରକରେ ଝିପିଝିପି ବର୍ଷା ହୋଇଛି । ଦାରିଙ୍ଗିବାଡ଼ିରେ ଜୋର୍‌ରେ ବର୍ଷା, ପବନ ହୋଇଥିବା ସୂଚନା ମିଳିଛି ।

୨୩ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ୨୪ରେ ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ ଓ ମାଲକାନଗିରିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.