Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୬ ତାରିଖ ଯାଏଁ ପ୍ରବଳ ବର୍ଷା

14/09/2023 at 7:58 AM

Rain

ଭୁବନେଶ୍ୱର ୧୪।୦୯ : ଉତ୍ତର ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ । ଏହା ପ୍ରଭାବରେ ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । 

ଗତ ୨୪ ଘଣ୍ଟାରେ ରାୟଗଡ଼ା ଅମ୍ବାଡୋଲାରେ ୧୯୦ମିମି ବର୍ଷା ହୋଇଛି । କଳାହାଣ୍ଡିର ଲାଞ୍ଜିଗଡ଼ରେ ୧୬୦, ଦାରିଙ୍ଗିବାଡ଼ିରେ ୧୩୦ ଓ ଚିତ୍ରକୋଣ୍ଡା କେ ଗୁମ୍ମାରେ ୧୨୦ମିମି ବର୍ଷା ହୋଇଛି । ଗୁରୁବାର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ମିମି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେହିପରି ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଟକ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ୧୫ରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଭାରୀ ବର୍ଷା ହୋଇପାରେ । ୧୬ରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୧୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) । ତଳିଆ ଅଞ୍ଚଳରେ ଜଳବନ୍ଦୀ ହେଲେ ପାଣି ନିଷ୍କାସନ ସହ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବର୍ଷା, ପବନ ଓ ବଜ୍ରପାତରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ପଠାଇବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ବୁଧବାର ସକାଳୁ ସନ୍ଧ୍ୟା ଭିତରେ ନବରଙ୍ଗପୁରରେ ସର୍ବାଧିକ ୭୨ମିମି ବର୍ଷା ହୋଇଛି । ଗୋପାଳପୁରରେ ୫୫, ଛତ୍ରପୁରରେ ୫୪.୨, ବଲାଙ୍ଗୀରରେ ୪୫ ଓ କୋରାପୁଟରେ ୩୦.୪ମିମି ବର୍ଷା ହୋଇଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି । କୋରାପୁଟ-ରାୟଗଡ଼ା ରେଳଲାଇନ୍‌ରେ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ବିଶାଖପାଟଣା-କୋରାପୁଟ ଓ କୋରାପୁଟ-ବିଶାଖପାଟଣା ଡିଏମ୍‌ୟୁ ବାତିଲ ହୋଇଛି । ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ହରେକୃଷ୍ଣପୁର ଗାଁରେ ଏକ ଘର ଭାଙ୍ଗି ପଡ଼ିବାରୁ ଜଣେ ମହିଳା ପ୍ରାଣ ହରାଇଛନ୍ତି । କୋରାପୁଟ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଖସିଛି । ଲମତାପୁଟରେ ୨ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିବା ଯାଗୁ ରାସ୍ତା ଉପରେ ପାଣି ଚାଲୁଛି । ସିମିଳିଗୁଡ଼ା ବ୍ଲକ ଅଫିସ୍‌ରେ ପାଣି ପଶିଯାଇଛି । ଲଗାଣ ବର୍ଷା ପାଇଁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ପାହାଡ଼ ଧସିଛି ।

ତେବେ ଲଘୁଚାପ ଅଧିକ ଘନୀଭୂତ ହେବା ପରେ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ମୁହାଁଇବ । ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଛତିଶଗଡ଼ରେ ବର୍ଷା ହେଲେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବ । ହୀରାକୁଦରୁ ଏବେ ଦୁଇଟି ଗେଟ୍‌ ଯୋଗେ ପାଣି ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ହେଲେ ଜଳସ୍ତର ଆହୁରି ବଢ଼ିପାରେ । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ଜଳଭଣ୍ଡାର ଓ ନଦୀ ଜଳସ୍ତର ବଢ଼ୁଛି । ହୀରାକୁଦ ସମେତ ମାଛକୁଣ୍ଡ ଓ ଲୋୟର ଇନ୍ଦ୍ରାବତୀରେ ଜଳସ୍ତର ବଢ଼ୁଛି । ଜଳକା, ଋଷିକୂଲ୍ୟା ଓ ବଂଶଧାରା ନଦୀ ଜଳସ୍ତର ବି ବଢ଼ୁଛି ।

   Related Posts