ଆଣ୍ଟାର୍କଟିକା ପାଲଟିଛି ନ୍ୟୁୟର୍କ, ଫଟୋରେ ଦେଖନ୍ତୁ ୫୭ଂ ସେଲସିୟସ୍ରେ କେମିତି ବଞ୍ଚିଛନ୍ତି ଲୋକେ ?
27/12/2022 at 2:06 PM

ନ୍ୟୁୟର୍କ ୨୭।୧୨: ଆମେରିକାରେ ଏବେ ‘ବମ୍ବ ସାଇକ୍ଲୋନ’ ବିତ୍ପାତ ରଚିଛି। ୧୯୮୩, ୨୦୧୪ ପରେ ୨୦୨୨ରେ ହୀମପାତ ରେକର୍ଡ ଭାଙ୍ଗିଛି। ଲୋକେ କହୁଛନ୍ତି ଜୀବନରେ ଏପରି ଝଡ଼ କେବେ କେମିତି ହୋଇଥାଏ। ନ୍ୟୁୟର୍କ ଏବେ ଉତ୍ତର ଗୋଲାର୍ଦ୍ଧ ପାଲଟିଥିବା ବେଳେ ତାପମାତ୍ରା ବିଯୁକ୍ତ ୫୭ ଡିଗ୍ରି ସେଲସିୟସ୍କୁ ପହଞ୍ଚିଛି। ଘର ଛାତ ଉପରେ ୪ ଫୁଟ ବହଳର ବରଫ ଜମିଯାଇଛି। ଏଥିରେ ବଫେଲୋ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି।
ନ୍ୟୁୟର୍କରେ ସୋଭେଲ ସ୍ମାର୍ଟ ଆଲର୍ଟ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ ଲୋକଙ୍କୁ ଭାରି ଏବଂ ଓଦା ବରଫ ହଟାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ନଚେତ ପିଠିରେ ଆଘାତ ଲାଗିପାରେ। ମେରୁଦଣ୍ଡରେ ସମସ୍ୟା ଉପୁଜିପାରେ ଅଥବା ଭୀଷଣ ଥଣ୍ଡା ଯୋଗୁ ହୃଦଘାତ ମଧ୍ୟ ହୋଇପାରେ ବୋଲି ଏହି ସତର୍କତା କୁହାଯାଇଛି। ବରଫ ଝଡ ଯୋଗୁ ଆମେରିକାର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ୬୦ ଜଣ ଲୋକଙ୍କ ମୃତ୍ୟୁ ହେଲାଣି।

ଆମେରିକାରେ ଏପରି ବରଫ ଝଡ ଆର୍କଟିକ୍ ଡିପ୍ ଫ୍ରିଜ୍ ବା ଆର୍କଟିକ୍ ବ୍ଲାଷ୍ଟ ଯୋଗୁ ହୋଇଛି। ଅର୍ଥାତ୍ ଆର୍କଟିକ୍ର ପବନ ଏବେ ଆମେରିରାକ ନ୍ୟୁୟର୍କ ପଟକୁ ବହୁଛି। ଆର୍କଟିକ୍ ଫ୍ରଣ୍ଟ ଫ୍ଲୋରିଡା ହୋଇ ପୂର୍ବରୁ ଦକ୍ଷିଣକୁ ବହୁଛି। ଏଣୁ ଭୟାନକ ହୀମପାତ ନେଇ ସତର୍କତା ଜାରି କରାଯାଇଛି। ଏପରି ହୀମପାତରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ସୋମବାର ଆମେରିକାରେ ୩ହଜାର ୮୦୦ଟି ଉଡାଣ ବାତିଲ ହୋଇଥିଲା। ଏଥିରୁ ପ୍ରାୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ଉଡାଣ ବନ୍ଦ ରହିଥିବା ଜଣାପଡିଛି।
ଗ୍ରେଟର ବଫେଲୋ ଅଞ୍ଚଳର ଲେକ୍ ଏରି ବରଫ ଝଡରେ ଗୁରୁତର ପ୍ରଭାବିତ ହୋଇଛି। ଏଠାରେ ୧.୨୭ ମିଟର ବହଳର ବରଫ ଜମି ଯାଇଛି। ଭୀଷଣ ଥଣ୍ଡା ପବନ ଯୋଗୁ ଲୋକଙ୍କ ଚଲାବୁଲାରେ ବାଧା ସୃଷ୍ଟି କରିଛି। ହୀମପାତ ଲଗାତାର ଜାରି ରହିବା ପରିସ୍ଥିତିକୁ ଅସମ୍ଭାଳ କରିଛି। ସଡକ ଉପରେ ବହଳ ବରଫ ଜମିବା ଯୋଗୁ ଯାନବାହନ ଓ ଆଂବୁଲାନ୍ସ ଫଶି ଯାଇଛି। ଲୋକେ ରାସ୍ତାରୁ ଗାଡିଗୁଡିକୁ କାଢିବାକୁ ଉଦ୍ୟମ କରୁଛନ୍ତି ହେଲେ ରିଲିଫ ଓ ଉଦ୍ଧାର କର୍ମୀଙ୍କ ସଂଖ୍ୟା ନଗଣ୍ୟ ହୋଇଥିବାରୁ ଏସବୁ କାମ ସମ୍ଭବ ହୋଇପାରୁନି।

ଏଣୁ ଲୋକେ ରାସ୍ତା ଉପରେ ଗାଡି ଛାଡି ଘରକୁ ପଳାଇଛନ୍ତି। ଅନ୍ୟପକ୍ଷରେ ଲୋକଙ୍କୁ ସଡକ ଉପରକୁ ଗାଡି କାଢିବାକୁ ମନା କରାଯାଇଛି। ବରଫରେ ଫଶି ରହିଥିବା ଗାଡି ମାନଙ୍କରୁ ଶହଶହ ଲୋକଙ୍କୁ ଉଦ୍ଧାର କରାଯାଉଛି। ହୀମପାତ ଯୋଗୁ ଦୋକାନ ବଜାର ମଧ୍ୟ ବନ୍ଦ ହୋଇଯାଇଛି। ଏଣୁ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ ଲାଗି ବେଶ ଦୂର ପର୍ଯ୍ୟନ୍ତ ଚାଲିବାକୁ ପଡୁଛି। ଉପୁଜିଥିବା ପରିସ୍ଥିତିକୁ ଲୋକେ ‘ବ୍ଲିଜାର୍ଡ ଅଫ ୨୨’ ବୋଲି କହୁଛନ୍ତି।
ଏହା ପୂର୍ବରୁ ବଫେଲୋ ଅଞ୍ଚଳରେ ଏପରି ବ୍ଲିଜାର୍ଡ ୧୯୭୭ ମସିହାରେ ଆସିଥିଲା। ସେତେବେଳେ ହୀମପାତ ଯୋଗୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା। ରାଷ୍ଟ୍ରପତି ଜୋ ବାଇଡେନ ନ୍ୟୁୟର୍କ ଲାଗି ଫେଡେରାଲ ଏମାର୍ଜେନ୍ସୀ ଜାରି କରିଛନ୍ତି। ସ୍ଥାନୀୟ ଉଦ୍ଧାର କର୍ମୀଙ୍କ ସହାୟତା ଲାଗି ନ୍ୟାସନାଲ ଗାର୍ଡଙ୍କୁ ଉପଯୋଗ କରାଯାଉଛି। ଏବେବି ଅନେକ ସ୍ଥାନରେ ଲୋକେ ସେମାନଙ୍କ କାରରେ ଫଶି ରହିଛନ୍ତି, ଲୋକେ ଏପରି ଘରେ ଅଟକି ରହିଛନ୍ତି ଯେଉଁଠି ବିଜୁଳି ଅଥବା ପାଣି ଯୋଗାଣ ବନ୍ଦ ହୋଇଯାଇଛି। ଏପରି ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ସେମାନଙ୍କୁ ଉଷୁମ ଖାଦ୍ୟ ଓ ଗରମ ପୋଷାକ ଦିଆଯାଉଛି।

ଏରି କାଉଣ୍ଟିର ୧୪ ହଜାର ଲୋକଙ୍କ ଘରକୁ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଇଛି। ଭୀଷଣ ହୀମପାତ ଯୋଗୁ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇଛି।