ଖବରକାଗଜ ବିକ୍ରି କରୁଥିବା ବ୍ୟକ୍ତି ନିଜେ ହୋଇଗଲେ ଖବର : ବେକରେ ରଶି ଲାଗିଥିବା ଅବସ୍ଥାରେ ମୃତଦେହ ଜବତ

Published By : Prameya-News7 Bureau | May 03, 2020 IST

ଇସଲାମାଵାଦ ୦୩/୦୫ : ପାକିସ୍ତାନ କସୁର ଜିଲ୍ଲାରେ କଷବା ଫୁଲ ନଗରର ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଫଟୋରେ ଜଣେ ବ୍ୟକ୍ତି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି | ମୃତ ବ୍ୟକ୍ତି ଜଣକ ହେଲେ ସଇଦ ଗୁଲ | ସେ ବୁଲି ବୁଲି ଖବରକାଗଜ ବିକ୍ରି କରି ଗୁଜୁରାଣ କରୁଥିଲେ | ଲକଡାଉନ ଯୋଗୁଁ ତାଙ୍କ କାମ ଥିବା ବନ୍ଦ ଯୋଗୁଁ ସେ ମାନସିକ ଅବସାଦ ଗ୍ରସ୍ତ ଥିଲେ |

ସୂଚନା ଅନୁଯାୟୀ, ସଇଦ ଗୁଲ ଗତ ୩ ଦଶକ ହେଲା ସହର ଏବଂ ଆଖପାଖ ଅଞ୍ଚଳରେ ଖବରକାଗଜ ବିକ୍ରି କରୁଥିଲେ | ଖବରକାଗଜ ବିକ୍ରି କରି ସେ ଗୁଜୁରାଣ କରୁଥିଲେ | କିନ୍ତୁ ଦିନେ ସକାଳୁ ସେ ଘରୁ ବାହାରିଲେ ଆଉ ଘରକୁ ଫେରିନଥିଲେ | ସେ ଘରକୁ ନ ଫେରିବାରୁ ପରିବାର ଲୋକ ଏବଂ ସମ୍ପର୍କୀୟ ତାଙ୍କୁ ଖୋଜାଖୋଜି କରିଥିଲେ | କିନ୍ତୁ ପାଇନଥିଲେ | ଗୋଟିଏ ଦିନ ପରେ ସିଲରର ମେସିନେରୀ ରୁମରୁ ତାଙ୍କ ଶବ ଜବତ କରାଯାଇଥିଲା |

ସଇଦଙ୍କ ୬ ପୁଅଝିଅ | ଏବେ ସେମାନଙ୍କ ସାମ୍ନାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି | ସେମାନେ ବର୍ତ୍ତମାନ କିଭଳି ପେଟ ପୋଷିବେ ତାକୁ ନେଇ ପ୍ରଶ୍ନ ଉଠିଛି | ତେବେ ସଇଦ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେନେଇ ତଦନ୍ତ ଜାରି ରହିଛି | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି |

ସୂଚନାଯୋଗ୍ୟ ଯେ, କରୋନା ଯୋଗୁଁ ପାକିସ୍ତାନ ଲକଡାଉନ ରହିଛି | ସଂକ୍ରମଣ ରୋକିବା ପାଇଁ ଲକଡାଉନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି | ଲକଡାଉନ ଯୋଗୁଁ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ସମସ୍ୟା ବଢିଯାଇଛି | ଅଭାବୀ ପରିବାର ଦୈନନ୍ଦିନ ଗୁଜୁରାଣ ପାଇଁ ନାନା ସଙ୍କଟ ଦେଇ ଗତି କରୁଛନ୍ତି | ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ବରୁ ହିଁ ଏତେ ସ୍ୱଚ୍ଛଳ ନଥିଲା | ଏବେ ପୁଣି କରୋନା ଯୋଗୁଁ ସ୍ଥିତି ଆହୁରି ସଙ୍କଟପୂର୍ଣ୍ଣ ହୋଇଯାଇଛି | ପାକିସ୍ତାନରେ ବର୍ତ୍ତମାନ ବେକାରୀ ସମସ୍ୟା ମୁଣ୍ଡ ଟେକିଚି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.