ବିଦେଶୀ ଫଣ୍ଡିଂ ମାମଲାରେ ଦିଲ୍ଲୀ ପୋଲିସର ଆକ୍ସନ: ଗିରଫ ହେଲେ ନ୍ୟୁଜ୍କ୍ଲିକ୍ ପ୍ରତିଷ୍ଠାତା
3/10/2023 at 10:05 PM

ନୂଆଦିଲ୍ଲୀ,୩/୧୦: ନ୍ୟୁଜକ୍ଲିକ୍ ନ୍ୟୁଜ ଓ୍ବେବସାଇଟର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ। ବେଆଇନ୍ ଫଣ୍ଡିଂ ମାମଲାରେ ଗିରଫ କଲା ଦିଲ୍ଲୀ ପୋଲିସ। ଏହି ମାମଲାରେ ଛାନଭିନ୍ ପରେ ନ୍ୟୁଜକ୍ଲିକ୍ କାର୍ଯ୍ୟାଳୟକୁ ସିଲ୍ କରିଦେଇଛି ଦିଲ୍ଲୀ ପୋଲିସର ସ୍ପେଶଲ ସେଲ। ନ୍ୟୁଜକ୍ଲିକ୍ କାର୍ଯ୍ୟାଳୟରେ ଚଢ଼ାଉ କରିବା ସହ ବିଭିନ୍ନ ଡିଜିଟାଲ ଉପକରଣ ଏବଂ କାଗଜପତ୍ର ଜବତ କରିଛି ପୋଲିସ। ଏହା ସହ ଦୁଇ ପ୍ରତିଷ୍ଠାତାଙ୍କୁ ଗିରଫ କରାଯାଇଛି।
ଅପରାଧିକ ଗତିବିଧି ଏବଂ ଅନଲଫୁଲ୍ ଆକ୍ଟିଭିଟିଜ୍ ପ୍ରିଭେନ୍ସନ ଆକ୍ଟ(ୟୁଏପିଏ) ଅଧୀନରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହା ସହ ମୋଟ ୩୭ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ୭ ଜଣ ମହିଳା କର୍ମଚାରୀଙ୍କୁ ସେମାନଙ୍କ ଘରେ ଜେରା କରାଯାଇଥିବା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅଭିଯୋଗ ଅନୁସାରେ- ଚୀନ୍ ସମର୍ଥନରେ ପ୍ରଚାର କରିବା ପାଇଁ ନ୍ୟୁଜ୍କ୍ଲିକ୍ ଅର୍ଥ ପାଇଥିଲା। ଏହି ଓ୍ୱେବସାଇଟ୍ ଭାରତରେ ଚୀନ୍ ସମର୍ଥନରେ ପ୍ରଚାର କରିବା ଲାଗି ଆମେରିକୀୟ କୋଟିପତି ନେବିଲେ ରୟ ସିଂହମଙ୍କ ପାଖରୁ ମୋଟାଅଙ୍କର ଟଙ୍କା ପାଇଥିଲେ।
ଏହି ମାମଲାରେ ନ୍ୟୁଜକ୍ଲିକ୍ ଓ୍ବେବସାଇଟ ସହ ଜଡ଼ିତ ୩୦ଟି ସ୍ଥାନରେ ଛାନଭିନ୍ କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ପୋଲିସ ବହୁ ଡିଜିଟାଲ ଉପକରଣ ଏବଂ ଡକ୍ୟୁମେଣ୍ଟ ଜବତ କରିଛି।