୨ ବର୍ଷ ଧରି ଯୌନ ଉତ୍ପୀଡ଼ନ କରୁଥିବା ସମ୍ପାଦକଙ୍କୁ ହତ୍ୟା କଲା ଟ୍ରେନି

Published By : Prameya-News7 Bureau | March 18, 2019 IST

ମୁମ୍ବାଇ ୧୮/୩ : ମୁମ୍ବାଇର ଏକ ମାସିକ ଖାବକାଗଜ ଇଣ୍ଡିଆ ଅନବାଉଣ୍ଡର ସମ୍ପାଦକଙ୍କୁ ନିର୍ମମ ହତ୍ୟା କରାଯାଇଛି | ସେ ମାର୍ଚ୍ଚ ୧୫ ତାରିଖରୁ ନିଖୋଜ ଥିଲେ | ସ୍ଥାନୀୟ ଥାନାରେ ତାଙ୍କ ନିଖୋଜ ଥିବା ଏତଲା ଦିଆଯାଇଥିଲା | ଏହି ମାମଲାର ଖୁଲାସା କରି ପୋଲିସ ଜଣେ ଟ୍ରେନି ସାମ୍ବାଦିକ ଏବଂ ମାଗାଜିନର ପ୍ରିଣ୍ଟରକୁ ଗିରଫ କରିଛି | ଯୌନ ଉତ୍ପୀଡ଼ନ ମାମଲାରେ ହତ୍ୟା କରାଯାଇଥିବା କୁହାଯାଉଛି |


ଠାଣେ ଗ୍ରାମୀଣ ପୋଲିସ ଅନୁଯାୟୀ, ମୃତ ସମ୍ପାଦକ ନିତ୍ୟାନନ୍ଦ ପାଣ୍ଡେ | ତାଙ୍କ ଶବ ଗତକାଲି ବିଭତ୍ସ ଅବସ୍ଥାରେ ଉଦ୍ଧାର ହୋଇଥିଲା | ଶବ ଉଦ୍ଧାର ପରେ ପୋଲିସ ତଦନ୍ତ କରିଥିଲା | ତଦନ୍ତ ପରେ ପୋଲିସ ୨୪ ବର୍ଷ ବୟସ୍କ ସହଯୋଗୀ ଅଙ୍କିତା ମିଶ୍ରଙ୍କୁ ପଚରାଉଚୁରା କରିଥିଲା | ଅଙ୍କିତା ଏହି ମାମଲାରେ କିଛି କହିନଥିଲେ |


କିନ୍ତୁ ପୋଲିସ ବାରମ୍ବାର ପଚାରିବାରୁ ସବୁ ଘଟଣା ସାମ୍ନାକୁ ଆସିଥିଲା | ସମ୍ପାଦକଙ୍କ ହତ୍ୟା ଘଟଣା ସମ୍ପର୍କରେ ଅଙ୍କିତା ପୋଲିସ ସମ୍ପୂର୍ଣ ସୂଚନା ଦେଇଥିଲେ | ସେ ପୋଲିସକୁ କହିଥିଲେ ଯେ, ସମ୍ପାଦକ ଗତ ୨ ବର୍ଷ ହେଲା ଲଗାତାର ତାଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିଲେ | ସେ ଅଙ୍କିତାଙ୍କୁ ବହୁତ ହଇରାଣ ମଧ୍ୟ କରୁଥିଲେ | ଅଙ୍କିତା ବାରଣ କଲେ ମଧ୍ୟ ସମ୍ପାଦକ ନିତ୍ୟାନନ୍ଦ ତାଙ୍କ ଶୁଣିନଥିଲେ | ଏହାପରେ ଅଙ୍କିତା ମାଗାଜିନର ପ୍ରିଣ୍ଟର ସତୀଶ ମିଶ୍ରଙ୍କ ସହ ମିଶି ପାଣ୍ଡେ ଠାରୁ ମୁକ୍ତି ପାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ | ଯୋଜନା ମୁତାବକ, ଅଙ୍କିତା ଶୁକ୍ରବାର ଦିନ ପାଣ୍ଡେଙ୍କୁ ଏକ ଜାଗା ଦେଖାଇବା ବାହାନାରେ ଏକ ଶୂନଶାନ ଜାଗାକୁ ନେଇଯାଇଥିଲେ | ସେଠାରେ ଅଙ୍କିତା ପାଣ୍ଡେଙ୍କୁ ଏକ ପାନୀୟ ଦେଇଥିଲେ ଯେଉଁଥିରେ ନିଶା ମିଶିଥିଲା | ପାନୀୟ ପିଇବା ପରେ ପାଣ୍ଡେ ବେହୋସ ହୋଇଯାଇଥିଲେ | ପାଣ୍ଡେ ବେହୋସ ହେବାପରେ ଅଙ୍କିତା ଏବଂ ସତୀଶ ପାଣ୍ଡେଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ | ଏହାପରେ ଉଭୟ ମିଶି ପାଣ୍ଡେଙ୍କ ଶବକୁ ଭୀମ୍ବଡ଼ିର ଏକ ଶୂନଶାନ ଜାଗାରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ |


ପାଣ୍ଡେ ମୁମ୍ବାଇର ଜଣେ ପ୍ରତିଷ୍ଠିତ ସମ୍ପାଦକ | ପାଣ୍ଡେଙ୍କର ମୁମ୍ବାଇର ବଡ ବଡ ବ୍ୟବସାୟୀ, ରାଜନେତାଙ୍କ ସହ ବସିବା ଉଠିବା ଥିଲା | ସେ ଭବ୍ୟ ଜୀବନ ଶୈଳୀ ବିତାଉଥିଲେ | ସେ ମହଙ୍ଗା କାର ଚଢ଼ୁଥିଲେ | ତାଙ୍କ ମାଗାଜିନରେ ଅନେକ ସରକାରୀ ବିଜ୍ଞାପନ ମଧ୍ୟ ସ୍ଥାନ ପାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.