ଆଇପିଏଲ୍‌ରୁ ଆସିଲା ବଡ଼ ଖବର, ଟି-୨୦ ବିଶ୍ବକପ୍‌ ପୂର୍ବରୁ ବଢ଼ିଲା ଟିମ୍‌ ଇଣ୍ଡିଆର ଚିନ୍ତା

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩/୦୯: ଗୁରୁବାର ଆବୁଧାବିରେ କେକେଆର ଏବଂ ମୁମ୍ବାଇ ଇଣ୍ଡିଆାନ୍ସ ମଧ୍ୟରେ ମୁକାବିଲା ହୋଇଛି। ଏମଆଇକୁ ୭ ଓ୍ବିକେଟ୍‌ରେ ହରାଇଛି କେକେଆର।  ଆଜିର ମ୍ୟାଚ୍‌ରେ ଭାରତୀୟ ଏବଂ ଏମଆଇ ଫ୍ୟାନ୍ସଙ୍କ ପାଇଁ ଖୁସିର କଥା ଥିଲା ଯେ, ରୋହିତ ଶର୍ମା ଫିଟ୍‌ ହୋଇ ପଡ଼ିଆକୁ ଓହ୍ଲାଇଛନ୍ତି। ଏହା ସହ ଅନ୍ୟ ଏକ ଚିନ୍ତାର ବିଷୟ ରହିଛି ଯାହାକି କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନୁହେଁ ବରଂ ଟିମ ଇଣ୍ଡିଆ ପାଇଁ ଚିନ୍ତାଜନକ। କାରଣ ଆଜିର ମ୍ୟାଚ୍‌ରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ହୋଇନଥିଲେ ।

ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ପଡ଼ିଆରୁ ଗାଏବ ରହିଛନ୍ତି। ଚେନ୍ନାଇ ସୁପରକିଙ୍ଗସ୍‌ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମା ଆହତ ହୋଇଥିଲେ ହେଁ କେକେଆର ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲେ । କିନ୍ତୁ ପାଣ୍ଡ୍ୟା ଗଲେ କୁଆଡେ ?

ଗତ ମ୍ୟାଚ୍‌ରେ କୁହାଯାଇଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛୋଟ ଆଘାତ ଲାଗିଛି ଏବଂ ​ସେ ଜଳଦି ସୁସ୍ଥ ହୋଇ ଫେରିଆସିବେ। କିନ୍ତୁ ଗୁରୁବାର ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିନଥିଲା । ପାଣ୍ଡ୍ୟାଙ୍କ ଅନୁପସ୍ଥିତି ମୁମ୍ବାଇ ପାଇଁ ମୁସ୍କିଲ ହୋଇପାରେ କିନ୍ତୁ ଆଗାମୀ ମାସରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ରେ ତାଙ୍କର ଅନୁପସ୍ଥିତି ଟିମ୍‌ ଇଣ୍ଡିଆ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ହାର୍ଦ୍ଦିକ ପାଣ୍ଡ୍ୟ ଚଳିତ ବର୍ଷ ଜୁନରେ ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ସିରିଜ୍‌ରେ ନଜର ଆସିଥିଲେ।

ସର୍ଜରୀ ପରେ ସେ ଶେଷ ଥର ପାଇଁ ଏହି ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ଏବେ ପୁଣିଥରେ ତାଙ୍କ ଫିଟନେସ୍‌ ସମସ୍ୟା ହୋଇ ଛିଡ଼ା ହୋଇଛି। ଟି-୨୦ ବିଶ୍ବକପ୍‌ ପାଇଁ ଆଉ କମ୍‌ ସମୟ ଥିବା ବେଳେ ପାଣ୍ଡ୍ୟାଙ୍କ ଫିଟନେସକୁ ନଇେ ଚିନ୍ତା ସ୍ବାଭାବିକ୍‌। ବିନା ପ୍ରାକ୍ଟିସ୍‌ରେ ସେତେବେଳେ ତାଙ୍କୁ ପଡ଼ିଆକୁ ଓହ୍ଲାଇବା କେତେ ଠିକ୍‌ ହେବା ତାହା ସମୟ କହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.