୮ଦିନ ପରେ ମାଟି ତଳୁ ଶବ ଜବତ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ
4/08/2023 at 4:59 PM

ମୋହନା ୪।୮: ୮ ଦିନ ପରେ ଶ୍ମଶାନରୁ ମାଟି ଖୋଳି ଶବ ଜବତ କଲା ପୋଲିସ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ରାଇଜୁକା ଗାଁରେ l ଝିଅକୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ହତ୍ୟା କରି ପୋତି ଦେଇଥିବା ନେଇ ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି l

ସୂଚନାଯୋଗ୍ୟ ଯେ, ଗତ ଜୁନ ୧୧ ତାରିଖ ଦିନ କୌଣସି କାରଣରୁ ଇଟା ଭାଟିରେ ପୋଡି ହୋଇଯାଇଥିଲେ ମହିଳା l ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ କଟକ ସ୍ଥାନାନ୍ତର କରାଯାଇଥିଲା । କିଛି ଦିନ ମେଡିକାଲରେ ଚିକିତ୍ସା ପରେ ତାଙ୍କୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ । ତେବେ ଗତ ୨୭ ତାରିଖ ଦିନ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଶବକୁ ଶ୍ମଶାନରେ ପୋତି ଦେଇଥିଲେ ଶାଶୁ ଘର ଲୋକେ । ତେବେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ତାଙ୍କ ବାପା ଅଡବା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ରାଇଜୁକା ଶ୍ମଶାନରୁ ମାଟି ଖୋଳି ମହିଳାଙ୍କ ଶବ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ବେଳେ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି l
You Can Read :