ବୋହୂକୁ ମାରି ଫ୍ୟାନ୍ରେ ଟାଙ୍ଗିଦେଲେ ଶ୍ବଶୁରଘର ଲୋକ ! ଅଭିଯୋଗ ଆଣିଲେ ଝିଅର ବାପା
10/03/2023 at 11:28 AM

ନିଶ୍ଚିନ୍ତକୋଇଲି ୧୦।୩: ନବବଧୂଙ୍କୁ ହତ୍ୟା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ନିଶ୍ଚିନ୍ତକୋଇଲି ପଞ୍ଚାୟତ ଅଞ୍ଚଳରୁ । ନବବିବାହିତା ବୋହୂକୁ ମାରି ଫ୍ୟାନ୍ରେ ଟାଙ୍ଗି ଦେଇଥିବା ଝିଅର ବାପା ଅଭିଯୋଗ ଆଣିଛନ୍ତି । ନବବିବାହିତାଙ୍କ ୭ ବର୍ଷର ଝିଅଟିଏ ଅଛି ।

ସୂଚନାଯୋଗ୍ୟ ଯେ, ନିଶ୍ଚିନ୍ତକୋଇଲି ପଞ୍ଚାୟତର ୮ ନମ୍ବର ଓ୍ବାର୍ଡର ଗୌରହରି ବେହେରାଙ୍କ ଦ୍ବିତୀୟ ପୁଅ ସରୋଜ ବେହେରା ୮ବର୍ଷ ତଳେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଟିମାଟି ଗାଁର ମହେନ୍ଦ୍ର ଗୋଛାୟତଙ୍କ ଝିଅ ସୁଭଦ୍ରା ଗୋଛାୟତଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଝିଅର ବାପା ମହେନ୍ଦ୍ର ବର ଘର ପକ୍ଷରୁ ଦାବି ମୁତାବକ ସମସ୍ତ ଯୌତୁକ ଦେଇଥିଲେ । ହେଲେ କିଛି ଦିନ ସୁଭଦ୍ରାଙ୍କ ଶାଶୁ ଘରେ ଭଲରେ କଟିଲା ହେଲେ ପରେ ପରେ ସୁଭଦ୍ରାଙ୍କ ଶାଶୁ ଘର ପକ୍ଷରୁ ତାଙ୍କ ଉପରେ ଅକଥନୀୟ ନିର୍ଯାତନା ସୁଭଦ୍ରାଙ୍କୁ ମାଡ଼ ଦିଆଯାଇଥିବା ଅଭିଯୋଗ କରିଥିଲେ ଝିଅର ବାପା ମହେନ୍ଦ୍ର । ଯାହାକି ୨୦୨୨ ମସିହାରେ ମସଲା ଥାନାରୁ ଯାଇ ପହଞ୍ଚିଥିଲା କୋର୍ଟରେ । ଆଉ ସୁଭଦ୍ରା ନିଜ ୭ବର୍ଷର ଝିଅକୁ ସାଙ୍ଗରେ ଧରି ବର୍ଷେ ତଳୁ ନିଜ ବାପ ଘର ଏରସମାକୁ ଚାଲି ଆସିଥିଲେ ।

ବାପା ମହେନ୍ଦ୍ର, ସୁଭଦ୍ରାଙ୍କ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଗତ ଫେବୃଆରୀ ମାସ ୬ ତାରିଖରେ ଏକ ଆପୋଷ ସମାଧାନ ଚୁକ୍ତିନାମା କରି ଫେବୃଆରୀ ୮ ତାରିଖ ଦିନ ମହେନ୍ଦ୍ରଙ୍କ ଘରୁ ସୁଭଦ୍ରା ଓ ତାଙ୍କ ଶିଶୁ କନ୍ୟାକୁ ସ୍ବାମୀ ସରୋଜ ନିଜ ଘର ନିଶ୍ଚିନ୍ତକୋଇଲିକୁ ଆଣିଥିଲେ । ହେଲେ ଗୁରୁବାର ଅପରାହ୍ନରେ ସୁଭଦ୍ରାଙ୍କ ଝୁଲନ୍ତା ମୃତଦେହ ଶ୍ବଶୁର ଘରୁ ଉଦ୍ଧାର କରି ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ନିଶ୍ଚିନ୍ତକୋଇଲି ପୋଲିସ । ଏ ବାବଦରେ ସ୍ବାମୀ ସରୋଜଙ୍କୁ ପଚାରିବାରୁ ଏସବୁ ମିଥ୍ୟା ଅଭିଯୋଗ କରିଛନ୍ତି ସୁଭଦ୍ରାଙ୍କ ପରିବାର ବୋଲି ସଫେଇ ଦେଇଛନ୍ତି ।
ନିଶ୍ଚିନ୍ତକୋଇଲି ଥାନା ପୋଲିସ ମହେନ୍ଦ୍ରଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ୪୫/୨୦୨୩ରେ ମାମଲା ରୁଜୁ କରି ୪୯୮(ଏ)/୩୦୨/୩୦୪(ବି)//୩୪ ଆଇପିସି/୪ ପିଡି ଆକ୍ଟ ଦଫା ଲଗାଇ ତଦନ୍ତ ଜାରି ରଖିଛି ।