୧୮-୧୯ରେ ଶପଥ ନେବେ ନବନିର୍ବାଚିତ ବିଧାୟକ, ବୁଧବାର ବାଚସ୍ପତି ନିର୍ବାଚନ

Published By : Prameya-News7 Bureau | June 18, 2024 IST

ଭୁବନେଶ୍ୱର ୧୮।୦୬ : ମଙ୍ଗଳବାର ଶପଥ ନେବେ ବିଧାୟକ । ସପ୍ତଦଶ ବିଧାନସଭାକୁ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ ମଙ୍ଗଳବାର ସକାଳ ୧୦ଟାରୁ ଆରମ୍ଭ ହେବ । ଏହା ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । 

ପ୍ରଥମ ଦିନ ସବୁ ବିଧାୟକଙ୍କ ଶପଥପାଠ ଉତ୍ସବ ସରି ନପାରିଲେ ପୁଣି ବୁଧବାର ଦିନ ସକାଳ ୧୦ଟାରୁ ଆରମ୍ଭ ହେବ । ଦୁଇ ଦିନ ଧରି ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଉତ୍ସବ ଚାଲିବ । ବିଧାୟକମାନଙ୍କୁ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶପଥ ପାଠ କରାଇବେ । 

ସେହିପରି ଆସନ୍ତା ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏଥିପାଇଁ ବୁଧବାର ଦିନ ନାମାଙ୍କନ ପତ୍ର ଦାଖଲ ହେବ । ବିଜେପିର ବରିଷ୍ଠ ବିଧାୟିତା ସୁରମା ପାଠୀଙ୍କୁ ବାଚସ୍ପତି ପଦରେ ଆସୀନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଶପଥ ଗ୍ରହଣ ଉତ୍ସବ ପାଇଁ ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି। ବିଧାନସଭା ସମ୍ମୁଖରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ନିର୍ମାଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି ବିଧାନସଭା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.