ଟିମ୍‌ ଇଣ୍ଡିଆର ହ୍ୟାଟ୍ରିକ୍ ପରାଜୟ, ଅନ୍ତିମ ମ୍ୟାଚ୍‌ରେ ବିଜୟ ସହ ୩-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | February 11, 2020 IST

ମାଉଣ୍ଟ ମାଓଁଗାନୁଇ ୧୧।୦୨: ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ପରାସ୍ତ । ମଙ୍ଗଳବାର ଦିନ ମାଉଣ୍ଟ ମାଓଁଗାନୁଇ ସ୍ଥିତ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତକୁ ୫ ଓ୍ବିକେଟ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ।ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟ ୩ଟିକିଆ ସିରିଜକୁ ୩-୦ରେ କ୍ଲିନ୍‌ ସ୍ବିପ୍‌ କରିଛି । ଭାରତ ପକ୍ଷରୁ ଦିଆଯାଇଥିବା ୨୯୭ରନ୍‌ର ଟାର୍ଗେଟକୁ ନ୍ୟଜିଲାଣ୍ଡ ୧୭ବଲ୍‌ ବାକି ଥାଇ ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ନିକୋଲାସ ସର୍ବାଧିକ ୮୦ରନ୍‌ କରିଛନ୍ତି ।

ଭାରତ ପକ୍ଷରୁ ୨୯୭ରନ୍‌କର ଟାର୍ଗେଟକୁ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିଲା କିଓ୍ବି ଟିମ୍‌ । ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଗୁପ୍ଟିଲ ଓ ନିକୋଲାସ ଶତକୀୟ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର ୧୦୬ରନ ହୋଇଥିବା ବେଳେ ୬୬ରନ୍‌ କରି ମାର୍ଟିନ ଗୁପ୍ଟିଲଙ୍କ ଭାବରେ ପ୍ରଥମ ଓ୍ବିକେଟ ପଡିଥିଲା । ସେପିପରି ନ୍ୟୁଜିଲାଣ୍ଡ ପକ୍ଷରୁ ନିକୋଲାସ ୮୦, ଓ୍ବିଲିୟମସନ ୨୨, ରସ୍ ଟେଲର ୧୨, ନିସାମ ୧୯ରନ୍‌ କରି ଆଉଟ ହୋଇଯାଇଥିଲେ । ତେବେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଲାଥମ ୩୨ ଓ ଗ୍ରାଣ୍ଡହୋମ ୫୮ରନ୍‌ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଚହଲ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି ।

ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ ଦଳ । ପ୍ରଥମେ ବ୍ୟାଟିଂ କରି ସୀମିତ ୫୦ଓଭର ଖେଳି ୭ ଓ୍ବିକେଟ ହରାଇ ୨୯୬ରନ୍‌ କରିଛି ଭାରତ । ଭାରତ ପକ୍ଷରୁ କେ.ଏଲ୍‌ ରାହୁଲ୍ ସର୍ବାଧିକ ୧୧୨ରନ୍‌ କରିଛନ୍ତି ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ । ପୂର୍ବ ୨ଟି ମ୍ୟାଚ୍‌ ଭଳି ସିରିଜର ଅନ୍ତିମ ମ୍ୟାଚ୍‌ରେ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା ଭାରତୀୟ ଟିମ୍‌ । ଦଳୀୟ ସ୍କୋର ୮ରନ୍ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରଓ୍ବାଲ୍‌ ୧ରନ୍‌ କରି ପାଭିଲିୟନ କରି ଫେରିଯାଇଥିଲେ । ପରେ ପରେ ଅଧିନାୟକ ବିରାଟ ବ୍ୟକ୍ତିଗତ ୯ରନ୍‌ କରି ଫେରିଯାଇଥିଲେ ପାଭିଲିୟନ । ଦଳୀୟ ସ୍କୋର ୬୨ରନ୍‌ ହୋଇଥିବା ବେଳେ ଓପନର ପୃଥ୍ବୀ ସ ୪୦ ରନ୍‌ କରି ରନ୍‌ ଆଉଟ ହୋଇଯାଇଥିଲେ । ମଧ୍ୟକ୍ରମରେ ଶ୍ରେୟସ ଆୟର ଓ ଲୋକଶ ରାହୁଲଙ୍କ ମଧ୍ୟରେ ଶତକୀୟ ପାରି ଯୋଗୁଁ ଭାରତ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଛି । ତେବେ ମ୍ୟାଚ୍‌ ଶେଷବେଳେକୁ ମନୀଷ ପାଣ୍ଡେଙ୍କ ୪୨ରନ୍‌ ବଦଳରେ ଭାରତ ୫୦ଓଭର ଖେଳି ୨୯୬ରନ୍‌ କରିବାକୁ ସମର୍ଥ ହୋଇଛି । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ହାମିସ୍ ବେନେଟ୍ ସର୍ବାଧିକ ୪ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଜମି ନିସା ଓ ଜାମିସନ ୧-୧ଲେଖାଏଁ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.