ବଢ଼ୁଛି କରୋନା ସଂକ୍ରମଣ: ଫିକା ପଡ଼ିବ ନୂଆବର୍ଷ, ସମସ୍ତ ପ୍ରକାର ଉତ୍ସବ ଉପରେ ଲାଗିଲା ରୋକ୍

Published By : Prameya-News7 Bureau | November 29, 2020 IST

ସିଓଲ ୨୯/୧୧: ବିଶ୍ବର ପ୍ରାୟ ସବୁ ଦେଶରେ କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କରିଛି। ପ୍ରତ୍ୟେକ ଦେଶ ଏହା ଉପରେ ଅଙ୍କୁଶ ଲଗାଇବାକୁ ଶକ୍ତ ନିୟମ ଆପଣାଉଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏକ ଦେଶ ନୂଆବର୍ଷ ଉତ୍ସବ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଦେଇଛି।

ରବିାବର ଦକ୍ଷିଣ କୋରିଆର ଅଧିକାରୀ ଦେଶରେ କୌଣସି ପ୍ରକାର ନୂଆବର୍ଷ ଉତ୍ସବ ଉପରେ ପ୍ରତିବନ୍ଧ ଘୋଷଣା କରିଛନ୍ତି। ଏହା ସହ ସବୁ କ୍ୟାଫେ ବନ୍ଦ କରିବାକୁ ବି ଘୋଷଣା ହୋଇଛି। ଯେବେଠୁ କରୋନା ମହାମାରୀ ଉପସ୍ଥିତି ଜାହିର କରଛି ସେବେଠୁ ଦକ୍ଷିଣ କୋରିଆ ଖରାପ ସ୍ଥିତି ଦେଇ ଗତି କରୁଛି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ପ୍ରଥମେ ସଂକ୍ରମଣ ଉପରେ କାବୁ ପାଇଥିବା ଦକ୍ଷିଣ କୋରିଆ ଏବେ ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଯାଉଛି।

ଲଗାତର ୩ ଦିନ ଧରି ଦକ୍ଷିଣ କୋରିଆରେ ୫୦୦ରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ପରେ ରବିବାର ଦିନ ୪୫୦ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ କରୋନାର ତୃତୀୟ ଲହର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତୃତୀୟ ଲହର ପ୍ରକୋପ ଚର୍ଚ୍ଚ, ସ୍କୁଲ, କଲେଜ୍‌ରେ ଦେଖିବାକୁ ମିଳିଛି ବୋଲି ସାଉଥ୍‌ କୋରିଆ ଡିଜିଜ୍‌ କଂଟ୍ରୋଲ୍‌ ଆଣ୍ଡ ପ୍ରଭିନ୍ସେନ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ରବିବାର ଦେଶର ପ୍ରଧାନମନ୍ତ୍ରୀ ଚୁଙ୍ଗ ସି କ୍ୟୁନ୍‌ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ସଭା ସମିତି ଉପରେ ରୋକ ଲଗାଯିବ। ଏଭଳି କୌଣସି କାର୍ଯ୍ୟକ୍ରମ ଯାହା ଦ୍ବାରା କରୋନା ବ୍ୟାପିବାର ସମ୍ଭାବନା ରହିଛି ତାହା ଉପରେ ପ୍ରତିବନ୍ଧ ଲଗାଇଦିଆଯିବ । ଏହା ସହ ହୋଟେଲ, ପାର୍ଟି ରୁମ୍‌, ଗେଷ୍ଟ ହାଉସ୍‌ ଏବଂ ଅନ୍ୟ ସ୍ଥାନ ଯେଉଁଠି ବର୍ଷ ଶେଷରେ ସମାରୋହ ଓ ପାର୍ଟି ଆୟୋଜିତ ହେବାକୁ ଥିଲା ସେଗୁଡ଼ିକ ଉପରେ ରୋକ ଲଗାଯାଇଛି ବୋଲି କ୍ୟୁନ୍‌ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.