ବ୍ୟାପୁଛି ଆଉ ଏକ ଭୟଙ୍କର ରୋଗ, ଏବେସୁଦ୍ଧା ଗଲାଣି ୯ ଜୀବନ, ରହିଛି ମସ୍ତିଷ୍କ ସଂକ୍ରମଣ ଭୟ

Published By : Prameya-News7 Bureau | December 18, 2020 IST

ଅହମ୍ମଦାବାଦ, ୧୮|୧୨: ଦେଶରେ କୋଭିଡ୍ ସଂକ୍ରମଣ ଥମିନଥିବା ବେଳେ ଆଉ ଏକ ନୂଆ ରୋଗ ଚିନ୍ତା ବଢାଇଦେଇଛି । ମ୍ୟୁକରମାୟୋସିସ୍ ନାମକ ଆଉ ଏକ ଫଙ୍ଗାଲ୍ ସଂକ୍ରମଣ ଏବେ କାୟା ମେଲାଇବାରେ ଲାଗିଛି । ଗୁଜରାଟ ଅହମଦାବାଦରେ ୪୪ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ମ୍ୟୁକରମାୟୋସିସରେ ଏବେସୁଦ୍ଧା ୯ଜଣଙ୍କ ମୃତ୍ୟୁ ହେଲାଣି। ଏହା ନାକରୁ ଆରମ୍ଭ ହୋଇ ଧୀରେ ଧୀରେ ଆଖିକୁ ବ୍ୟାପିଥାଏ । ଆରମ୍ଭରୁ ଚିକିତ୍ସା ନକଲେ ଏହା ମାରାତ୍ମକ ରୂପ ନେବାର ଆଶଙ୍କା ରହିଛି । ଏହି ସଂକ୍ରମଣ ଫଳରେ ଆଖିର ମାଂସପେଶୀ ଅଚଳ ହେବାର ଆଶଙ୍କା ରହିଛି । ଯାହା ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରିବା ଭୟ ରହିଛି ।

ସେହିପରି ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ଏହି ରୋଗରେ ଅନେକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏଠାରେ ଅନେକ ଆକ୍ରାନ୍ତଙ୍କ ମସ୍ତିଷ୍କକୁ ମଧ୍ୟ ସଂକ୍ରମିତ କରିଛି ଏହି ରୋଗ ।

ଯେଉଁମାନେ ଅନ୍ୟକୌଣସି ରୋଗରେ ପୀଡିତ ବା ନିୟମିତ ଔଷଧ ସେବନ କରନ୍ତି ସେମାନଙ୍କୁ ମ୍ୟୁକରମାୟୋସିସ ହେବାର ସମ୍ଭାବନା ଅଧିକ ରହିଥାଏ । ଯେଉଁମାନେ କରୋନା ସଂକ୍ରମିତ ବା ନିକଟରେ ସୁସ୍ଥ ହୋଇ ଫେରିଛନ୍ତି ସେମାନଙ୍କ ଠାରେ ଏହା ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ଯଦି କେଉଁ ବ୍ୟକ୍ତି ନାକ କିମ୍ବା ଆଖିରେ ଯନ୍ତ୍ରଣା ଅନୁଭବ କରନ୍ତି ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.