ଗଣମାଧ୍ୟମକୁ ପେମେଣ୍ଟ କରିବେ ଗୁଗଲ ଓ ଫେସ୍ବୁକ୍: ଏମିତି ନିୟମ ଆଣୁଛି ଆମେରିକା
24/08/2022 at 10:14 PM

ୱାଶିଂଟନ ଡିସି: ଗଣମାଧ୍ୟମକୁ ସହଯୋଗ କରିବେ ଆମେରିକାର ଟେକ୍ ଜାଏଣ୍ଟ ଗୁଗଲ ଓ ଫେସ୍ବୁକ। ଖୁବ୍ଶୀଘ୍ର ଆମେରିକାରେ ଏଭଳି ଏକ ନିୟମ ଆସିବାକୁ ଯାଉଛି। ସୋମବାର ଆମେରିକାର କିଛି ସାଂସଦ ଏକ ସଂଶୋଧିତ ବିଲ୍କୁ ଗୃହରେ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ଗୁଗଲ ଓ ଫେସ୍ବୁକ୍ଙ୍କୁ ପ୍ରତ୍ୟକ୍ଷ ଭାବେ ଗଣମାଧ୍ୟମକୁ ସହଯୋଗ କରିବାର ଉପାୟ ରହିଛି। ତା ସହ ନୂଆ ସଂସ୍ଥାମାନେ ମଧ୍ୟ ଏହି ଟେକ୍ ଜାଏଣ୍ଟମାନଙ୍କ ସହ ସହଯୋଗ ପାଇଁ ଆଲୋଚନା କରିପାରିବାର ବାଟ ରହିଛି।
ରୟଟର୍ସର ରିପୋର୍ଟ ଅନୁସାରେ, ଏହି ବିଲ୍ର ନାଁ ରହିଛି “ ସାମ୍ବାଦିକତା ପ୍ରତିଯୋଗିତା ଓ ସଂଗରକ୍ଷଣ ଆଇନ।” ଏହି ବିଲ୍ ଅନୁସାରେ, ଯେଉଁ ଇଣ୍ଟରନେଟ୍ ପ୍ଲାଟ୍ଫର୍ମ ଉଚିତ ମୂଲ୍ୟ ନଦେଇ କଣ୍ଟେଣ୍ଟ ନେଉଛି ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ଥିବା ସମସ୍ତ ସରକାରୀ ବାଧା ହଟାଇ ଦିଆଯିବ।
ସଂଶୋଧିତ ବିଲ୍ରେ ୧୫୦୦ରୁ କମ୍ ପୂର୍ଣ୍ଣକାଳୀନ କର୍ମଚାରୀଙ୍କୁ ନେଇ ଚାଲୁଥିବା ସଂସ୍ଥା ଓ ନେଟୱର୍କ ନଥିବା ନ୍ୟୁଜ ସଂସ୍ଥାମାନଙ୍କୁ ସାମିଲ କରାଯାଇଛି। ଏହି ସଂସ୍ଥାମାନେ ଗୁଗୁଲ ଓ ଫେସ୍ବୁକ ଓ ଅନ୍ୟାନ୍ୟା ବଡ଼ ଇଣ୍ଟରନେଟ୍ ନେଟୱର୍କ ସହିତ ମୁଲଚାଲ କରି ଭଲ ମୂଲ୍ୟରେ ନିଜ କଣ୍ଟେଣ୍ଟ ବିକ୍ରି କରିପାରିବେ।
ଆମେରିକାର ଏହି ବିଲ୍ ଭାରତୀୟ ଗଣମାଧ୍ୟମ କମ୍ପାନୀଗୁଡ଼ିକ ପାଇଁ ବି ପଥ ପଦର୍ଶକ ଭାବେ କାମ କରିବ। କାରଣ ଭାରତୀୟ ଗଣମାଧ୍ୟମ କମ୍ପାନୀମାନେ ମଧ୍ୟ ଗୁଗଲ ଓ ଫେସ୍ବୁକ ଠାରୁ ସେମାନଙ୍କ କଣ୍ଟେଣ୍ଟର ଉଚିତ ମୂଲ୍ୟ ଚାହୁଁଛନ୍ତି। ଭାରତ ସରକାର ଓ ଗଣମାଧ୍ୟମ କମ୍ପାନୀମାନେ ମଧ୍ୟ ଡିଜିଟାଲ ମିଡିଆ ସ୍ପେସ୍କୁ ଗଣତାନ୍ତ୍ରିକରଣ କରିବାକୁ ଚାହୁଁଛନ୍ତି। ଏପରି ସ୍ଥଳେ ଆମେରିକାର ଏହି ବିଲ୍ ଭରତ ପାଇଁ ବାଟ ଖୋଲିବ।
ତେବେ କେବଳ ଆମେରିକା ନୁହେଁ, ଅଷ୍ଟ୍ରେଲିଆ ଭଳି ଅନ୍ୟ କିଛି ଦେଶରେ ମଧ୍ୟ ଗୁଗୁଲ ଓ ଫେସ୍ବୁକ୍ ଗଣମାଧ୍ୟମକୁ ସିଧାସଳଖ ସହଯୋଗ କରିବାକୁ ନିୟମ ଖୋଜା ଚାଲିଛି। ଏହି ଟେକ୍ କମ୍ପାନୀ ଗଣମାଧ୍ୟମ ଓ ତଥା ସାମ୍ବାଦିକଙ୍କର କଣ୍ଟେଣ୍ଟ ବ୍ୟବହାର କରୁଛି। ତା ବଦଳରେ କମ୍ପାନୀ ଗଣମାଧ୍ୟମକୁ ସିଧାସଳଖ ସହଯୋଗ କରିବା ଉଚିତ୍ ବୋଲି ସରକାରମାନେ ଚିନ୍ତା କରୁଛନ୍ତି।