କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ନୂତନ ଟୁଇଷ୍ଟ,  ମଇଦାନକୁ ଓହ୍ଲାଇବାକୁ ସଙ୍କେତ ଦେଲେ ଦିଗବିଜୟ ସିଂହ

Published By : Prameya-News7 Bureau | September 21, 2022 IST

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ରୋଚକ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ଅଶୋକ ଗେହଲଟ୍ ଏବଂ ଶଶି ଥରୁରଙ୍କ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଚାଲିଥିଲା, ମାତ୍ର ଏବେ ଦିଗବିଜୟ ସିଂହ ନିଜ ନାଁ ଉଲ୍ଲେଖ କରି ଟୁଇଷ୍ଟ ଆଣିଛନ୍ତି। ଏନଡିଟିଭି ସହ ଆଲୋଚନା ବେଳେ ଦିଗବିଜୟ ସିଂହ କହିଛନ୍ତି, ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବା ନେଇ ମୋ ନାଁ କାହିଁକି ଖାରଜ କରୁଛନ୍ତି। ତାଙ୍କର ଏହି ଟିପ୍ପଣୀ ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ଦିଗବିଜୟ ସିଂହ ନିର୍ବାଚନକୁ ଓହ୍ଲାଇ ପାରନ୍ତି। ଅଶୋକ ଗେହଲଟ୍‌ଙ୍କୁ ନେଇ ମଧ୍ୟ ଦିଗବିଜୟ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ଗେହଲଟ୍ କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତି ତେବେ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ। ଏମିତି ହେଲେ ନିଶ୍ଚିତ ଭାବେ ସଚିନ ପାଇଲଟ୍‌  ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି।

ଦିଗବିଜୟ ସିଂହ କହିଛନ୍ତି, ଚଳିତ ବର୍ଷ ଉଦୟପୁରରେ କଂଗ୍ରେସର ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ଜଣେ ବ୍ୟକ୍ତିଙ୍କ ନିକଟରେ ଗୋଟିଏ ପଦ ରହିବ। ଏହି ହିସାବରେ ଅଶୋକ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ। ପୂର୍ବେ କମଲନାଥଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା। ଅଧ୍ୟକ୍ଷ ପଦ ନିର୍ବାଚନରେ ନିଜର ପ୍ରାର୍ଥୀତ୍ଵକୁ ନେଇ ଦିଗବିଜୟ କହିଛନ୍ତି ଯେ, ଦେଖାଯାଉ କଣ ହେଉଛି। ସେପ୍ଟେମ୍ବର ୩୦ ସୁଦ୍ଧା ସବୁ ଚିତ୍ର ସ୍ପଷ୍ଟ ହୋଇଯିବ। ଏହି ଦିନ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ।

ଗାନ୍ଧୀ ପରିବାରର କୌଣସି ସଦସ୍ୟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଦୌଡରେ ନାହାନ୍ତି। ଯେ କେହି ବି ନିର୍ବାଚନ ଲଢି ପାରିବ। ସମସ୍ତଙ୍କ ନିକଟରେ ଏହାର ଅଧିକାର ରହିଥିବା ଦିଗବିଜୟ ସିଂହ କହିଛନ୍ତି। ଯଦି କେହି ଲଢିବାକୁ ଚାହୁଁନାହାନ୍ତି ତେବେ ତାଙ୍କୁ ଜବରଦସ୍ତ କରିବା ଠିକ୍ ନୁହେଁ।

ଉଲ୍ଲେଖନୀୟ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠୁ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଦାୟିତ୍ଵ ସମ୍ଭାଳି ଆସିଛନ୍ତି। ସଂପ୍ରତି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଲଢିବେ ନାହିଁ ବୋଲି ଲଗାତାର ମନା କରି ଆସିଛନ୍ତି। ଏପରିକି ଆଜି ଅଶୋକ ଗେହଲଟ୍ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ରାଜି ହୋଇ ଯାଆନ୍ତି ତେବେ ଭଲ ହୁଅନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.