ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ : ପତ୍ନୀ, ଡିଏଫଓ ଏବଂ ରୋଷେୟାଙ୍କୁ ନୋଟିସ୍
18/04/2023 at 1:21 PM

ଗଜପତି ୧୮।୪: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ପୁଣି ଖୋଲିଲା ପୁରୁଣା ଫାଇଲ୍ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିବା ଦଫାରେ ବିଚାର ହେବ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି । ଆବେଦନକାରୀଙ୍କ ଆବେଦନ, ରେକର୍ଡ କରାଯାଇଥିବା ବୟାନ ଏବଂ ଅନ୍ୟାନ୍ୟ ଦଲିଲ ଦସ୍ତାବିଜକୁ ତର୍ଜମା କରି କୋର୍ଟ କହିଛନ୍ତି ଯେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗ ବିଚାରଯୋଗ୍ୟ । ତଥ୍ୟ ରହିଛି ତେଣୁ ଏହି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଗତ ୨୦୨୧ ଜୁଲାଇ ମାସ ୧୨ ତାରିଖରେ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପତ୍ନୀ, ଡିଏଫଓ ଓ ରୋଷେୟାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଥିଲା । ହେଲେ ଘଟଣାର ତଦନ୍ତ ପରେ ଡିଏଫଓ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭକୁ କ୍ଲିନଚିଟ୍ ଦେଇ କେବଳ ବିଦ୍ୟା ଭାରତୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । କେବଳ ସାମାନ୍ୟ ଅବହେଳାକୁ ଦର୍ଶାଇ ଥିଲା ତଦନ୍ତକାରୀ ସଂସ୍ଥା । ହେଲେ ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନହୋଇ ଏବେ ପାରଳାଖେମୁଣ୍ଡି କୋର୍ଟର ସହାୟତା ନେଇଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଅଭିଯୋଗ କ୍ରମେ ସମସ୍ତ ତଥ୍ୟ ଭିତ୍ତିକରି ଅଭିଯୁକ୍ତ ୩ ଜଣଙ୍କ ନାଁରେ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗରେ ମାମଲାକୁ ପୁଣି ଥରେ ଚାଲୁ କରିବାକୁ ତିନି ଜଣ ଅଭିଯୁକ୍ତଙ୍କୁ ପାରଳାଖେମୁଣ୍ଡି ଏସଡ଼ିଜେଏମ୍ ନୋଟିସ କରିଛନ୍ତି ।