ପୁରୀ: ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । ପବିତ୍ର କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ଅନୁଯାୟୀ, ହବିଷ୍ୟାଳୀମାନେ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିଥିବା ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧା ପାଇବେ। ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ରହଣି ବ୍ୟବସ୍ଥା କରାଯିବ। ସମସ୍ତ ଆବେଦନ ଅନଲାଇନ ମାଧ୍ୟମରେ ଗ୍ରହଣ ହେବ ବୋଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି।
ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ସମ୍ପୂର୍ଣ୍ଣ ମାଗଣାରେ ହବିଷ୍ୟାଳୀ ମାଆମାନଙ୍କୁ ରଖିବା ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରୁ ଅନଲାଇନ ଆବେଦନ ଆରମ୍ଭ ହେବ । ଆସନ୍ତା ଅକ୍ଟୋବର ୧୮ ତାରିଖରୁ ହବିଷ୍ୟାଳୀ ଶିବିର ଆରମ୍ଭ ହେବ। ଚଳିତ ୨୫୦୦ ହବିଷ୍ୟାଳୀ ମାଆମାନଙ୍କୁ ସ୍ବତନ୍ତ୍ର ହବିଷ୍ୟାଳୀ ଶିବିରରେ ରଖାଯିବ। ସେହିପରି ଚଳିତବର୍ଷ ଅଧିକ ହବିଷ୍ୟାଳୀ ମାଆମାନଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ଲକ୍ଷ ରହିଛି।
ପୂର୍ବ ଯୋଜନା ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀ ମା ମାନଙ୍କ ରହଣୀ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ହବିଷ୍ୟାଳୀ ଶିବିରରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା, ସୁରକ୍ଷା ପାଇଁ ପୋଲିସ ମୁତୟନ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯିବ। ପାଲା, ଦାସ କାଠିଆ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀ ମାଆମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରହିବା ସହିତ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହେବ।
ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହବିଷ୍ୟାଳୀ ମାଆମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ହବିଷ୍ୟାଳୀ ମାଆ ମାନଙ୍କୁ ସହଯୋଗ କରିବା ପାଇଁ ସ୍ବେଛାସେବୀ ମାନଙ୍କୁ ମୁତୟନ କରାଯିବ। ହବିଷ୍ୟାଳୀ ଶିବିର ରୁ ଶ୍ରୀମନ୍ଦିରକୁ ଯାତାୟତ ପାଇଁ ସ୍ବତନ୍ତ୍ର ବସ୍ ର ବ୍ୟବସ୍ଥା କରାଯିବ। ନରେନ୍ଦ୍ର ପୁଷ୍କରିଣୀରେ ହବିଷ୍ୟାଳୀ ମା ମାନଙ୍କ ସୁରକ୍ଷିତ ସ୍ନାନ ପାଇଁ ଏବଂ କୌଣସି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବ।
ତେବେ ଚଳିତ ବର୍ଷ ପୁଣି ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆରମ୍ଭ କରିଥିବାରୁ ଏହାକୁ ସ୍ବାଗତ କରିଛନ୍ତି ଭକ୍ତ। ସେହିପରି ହବିଷ୍ୟାଳୀ ଶିବିରକୁ ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ ଚଳିତ ବର୍ଷ ହବିଷ୍ୟାଳୀ ଶିବିର ପାଇଁ ମାଗଣାରେ ମହାପ୍ରସାଦ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ କୁହାଗଲେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି।