ଦିଲ୍ଲୀରେ ଫ୍ରି ବିଦ୍ୟୁତ ପାଇଁ ନୂଆ ନିୟମ, ଆବେଦନ ନ କଲେ ମିଳିବନି ସବସିଡି
14/09/2022 at 2:56 PM

ନୂଆଦିଲ୍ଲୀ ୧୪।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବଡ଼ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁସାରେ ଦିଲ୍ଲୀରେ କେବଳ ସେହିମାନଙ୍କୁ ସବସିଡି ବିଦ୍ୟୁତ ମିଳିବ ଯେଉଁମାନେ ଏଥି ପାଇଁ ଆବେଦନ କରିବେ। ଏଥିପାଇଁ ବୁଧବାର ଆବେଦନ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ କହିବା କଥା ହେଲା କିଛି ଲୋକେ ଫ୍ରି ବିଦ୍ୟୁତ ଚାହାନ୍ତି ନାହିଁ। ଏଣୁ ଏବେ ଦିଲ୍ଲୀରେ କେବଳ ସେହିମାନଙ୍କୁ ସବସିଡି ବିଦ୍ୟୁତ ମିଳିବ ଯେଉଁମାନେ ଏଥିପାଇଁ ଆବେଦନ କରିବେ ବୋଲି ସେ କହିଛନ୍ତି।

କେଜରିୱାଲ କହିଛନ୍ତି ଯେ ଆଗରୁ ଦିଲ୍ଲୀରେ ବାରମ୍ବାର ପାୱାର କଟ୍ ହେଉଥିଲା। ଆମେ ଏହାକୁ ଠିକ୍ କଲୁ ଏବେ ୨୪ ଘଣ୍ଟା ବିଦ୍ୟୁତ ମିଳିପାରୁଛି। ଏହା ଛଡା ଦିଲ୍ଲୀରେ ଫ୍ରି ବିଜୁଳି ମିଳୁଛି ବୋଲି ସେ କହିଛନ୍ତି। ଦୁର୍ନୀତି ରୋକିବା ଯୋଗୁ ଯେଉଁ ଅର୍ଥ ବଞ୍ଚିଲା ସେଥିରୁ ଲୋକଙ୍କୁ ଏହି ସବୁ ସୁବିଧା ଦେଇ ହୋଇ ପାରୁଥିବା କେଜରିୱାଲ କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ୫୮ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ଶୁନ୍ୟ ( ଜିରୋ) ଆସୁଛି। ସେହିପରି ୧୭ ଲକ୍ଷ ଉପଭୋକ୍ତାଙ୍କୁ ଅଧା ବିଲ୍ ଆସୁଛି। ହେଲେ ଏବେ କେବଳ ସେହିମାନଙ୍କୁ ସବସିଡି ବିଦ୍ୟୁତ ମିଳିବ ଯେଉଁମାନେ ଚାହୁଁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସୁବିଧା ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ଲାଗୁ ହେବ।

ବିଦ୍ୟୁତ ବିଲ ସହିତ ଏକ ଫର୍ମ ମିଳିବ। ଏହି ଫର୍ମ ପୂରଣ କରି ଜମା ଦେଲେ ଲୋକେ ସବସିଡି ପାଇପାରିବେ। ଦିଲ୍ଲୀ ସରକାର ଏକ ନମ୍ବର ମଧ୍ୟ ଜାରି କରିଛନ୍ତି। ସେହି ନମ୍ବରରେ ମିସ୍ କଲ କଲେ ମ୍ୟାସେଜ ଆସିବ, ଯେଉଁଥିରେ ଏକ ଲିଙ୍କ ମିଳିବ। ସେହିପରି ବିଦ୍ୟୁତ ବିଭାଗରେ ଯେଉଁମାନଙ୍କର ମୋବାଇଲ ନମ୍ବର ପଞ୍ଜିକୃତ ହୋଇଛି ସେମାନଙ୍କୁ ମ୍ୟାସେଜ ମିଳିବ। ୩୧ ଅକ୍ଟୋବର ସୁଦ୍ଧା ଯେଉଁ ଲୋକେ ଫର୍ମ ଜମା କରିବେ ସେମାନେ ବିଦ୍ୟୁତ ସବସିଡିର ଲାଭ ନେଇପାରିବେ। ଏହାକୁ ନେଇ ତାଙ୍କ ସରକାର ଘରକୁ ଘର ବୋଲି ଲୋକଙ୍କୁ ସଚେତନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।