ସବୁ ଓଗାଳିଲା ଗିରଫ ସାଥୀ: ଏନକାଉଣ୍ଟରର ୫ ଘଣ୍ଟା ପୂର୍ବରୁ ବିକାଶ ଦୁବେକୁ ମିଳିଥିଲା ଖବର, କହିଥିଲା- ଆଜି ଜଣେ ବି ପୋଲିସ୍ ଜୀବନ୍ତ ଫେରିବେନି

Published By : Prameya-News7 Bureau | July 05, 2020 IST

କାନପୁର ୦୫।୦୭: କାନପୁର ଏନକାଉଣ୍ଟରରେ ସହିଦ୍ ଆଠ ପୋଲିସକର୍ମୀ ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା  ହେବାରେ ଲାଗିଛି। ଗିରଫ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ସାଥୀ ଦୟାଶଙ୍କର ଅଗ୍ନିହୋତ୍ରୀ ବର୍ତ୍ତମାନ ନୂତନ ନୂତନ ରାଜ୍‌ ଅଗାଳିବାରେ ଲାଗିଛି। ଦୟାଶଙ୍କର କହିଛି ଯେ, ପୋଲିସ୍ ତାକୁ ଧରିବାକୁ ଆସୁଥିବା ଖବର ବିକାଶକୁ ପାଞ୍ଚ ଘଣ୍ଟା ପୂର୍ବରୁ ମିଳି ସାରିଥିଲା। କେହି ଜଣେ ଫୋନ୍‌ କରି ତାଙ୍କୁ ପୋଲିସ୍‌ ଆସୁଥିବାର ସୂଚନା ଦେଇଥିଲେ। ଏହା ପରେ ବିକାଶ ପୋଲିସ୍‌କୁ ପାନେ ଦେବାକୁ ସମସ୍ତ ପ୍ରସ୍ତୁତି କରି ନେଇଥିଲା। ସେ ପୋଲିସକୁ ଆକ୍ରମଣ କରିବା ପାଇଁ ଅସ୍ତ୍ର ଶସ୍ତ୍ର ଯୋଗାଡ କରିବା ସହିତ ନିଜର ଅନେକ ସାଥୀଙ୍କୁ ଡକାଇ ଆଣିଥିଲା।

ସୂଚନା ଅନୁଯାୟୀ ଆଠ ପୋଲିସକର୍ମୀଙ୍କ ହତ୍ୟା ମାମଲାରେ ସାମିଲ୍ ଅପରାଧୀ ଦୟାଶଙ୍କର ଆଜି ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଥିଲା। କାନପୁରରେ କଲ୍ୟାଣପୁର ନିକଟରେ ପୋଲିସ୍ ଏନକାଉଣ୍ଟରରେ ଦୟାଶଙ୍କରର ପାଦରେ ଗୁଳି ବାଜି ଥିଲା। ସେ ବିକାଶର ଖାସ୍‌ ଲୋକ ଥିଲା। ଦୟାଶଙ୍କର କହିଛି ଦୁବେ ଫୋନ୍‌ରେ କହିଥିଲା ଯେ, ଆଜି କେହି ବି ଜୀବନ୍ତ ଫେରିବେ ନାହିଁ।

ପୋଲିସ୍‌ ବିକାଶ ଦୁବେର ଆଉ ଜଣେ ସାଥୀକୁ ଗିରଫ କରିଛି। ହେଲେ ପୋଲିସ୍ ଅଧିକାରୀ ଏହା ଉପରେ କିଛି କହିବାକୁ ପ୍ରସ୍ତୁତ ନାହାନ୍ତି। ସୂତ୍ର ଅନୁଯାୟୀ ବିକାଶର ଏହି ସାଥୀର ହାତ ବହୁତ ଲମ୍ବା। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହିତ ତାର ସଂପର୍କ ନିବିଡ ରହିଛି।

ଦୟାଶଙ୍କରକୁ ପାଳିଛନ୍ତି ବିକାଶର ବାପା-ମା

ପୋଲିସ୍‌ର ଜେରା ବେଳେ ଦୟାଶଙ୍କର ତାର ଦୁଇଟି ପିଲା ଓ ପତ୍ନୀ ଥିବା କହିଛି। ପତ୍ନୀର ନାମ ଦେଖା। ତାକୁ ଯେତେବେଳେ ୩ ବର୍ଷ ବୟସ  ହୋଇଥିଲା, ତାର ବାପା-ମାଙ୍କ ଦେହାନ୍ତ ଘଟିଥିଲା। ଏହା ପରଠୁ ବିକାଶ ଦୁବେର ପିତା-ମାତା ତାକୁ ପାଳିବା ସହିତ ତାର  ବିବାହ ମଧ୍ୟ କରାଇଛନ୍ତି। ସେ ତାଙ୍କ ଘରେ ରୋଷେଇ କରିବା ସହିତ ପଶୁଙ୍କୁ ଚାରା-ପାଣି ଦେବା କାମ କରୁଥିଲା। ଦୟାଶଙ୍କର କହିଛି ଯେ, ଘଟଣା ଦିନ ଚୌବେପୁର ଥାନାରୁ ବିକାଶର ମୋବାଇଲ୍‌କୁ ରାତି ପ୍ରାୟ ୮ଟା ୩୦ରେ ଫୋନ୍‌ ଆସିଥିଲା।

୧୮ ଅଭିଯୁକ୍ତଙ୍କ ଉପରେ ୨୫୦୦୦ ପୁରଷ୍କାର

ଘଟଣାରେ ସାମିଲ୍ ବିକାଶ ଗ୍ୟାଙ୍ଗର ଶ୍ୟାମୁ ବାଜପେୟୀ, ଛୋଟୁ ଶୁକ୍ଳା, ଜେସିବି ଚାଳକ ମୋନୁ, ଜହାନ ଯାଦବ, ଦୟାଶଙ୍କର ଅଗ୍ନିହୋତ୍ରୀ, ଶଶିକାନ୍ତ, ପଣ୍ଡିତ ଶିବ ତିଓ୍ଵାରୀ, ବିଷ୍ଣୁ ପାଲ୍, ରାମ ସିଂହ, ରାମ ବାଜପେୟୀ, ଅମର ଦୁବେ, ପ୍ରଭାତ ମିଶ୍ର, ଗୋପାଳ ସୈନୀ, ବୀରୁ ଭବନ, ଶିବମ ଦୁବେ, ବାଲଗୋବିନ୍ଦ ଓ ବଉଓ୍ଵା ଦୁବେ ବିରୋଧରେ ୨୫୦୦୦ ଟଙ୍କା ପୁରଷ୍କାର ଘୋଷଣା କରାଯାଇଛି।

ବିକାଶ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର

ସିଓ ସମେତ ଆଠ ପୋଲିସକର୍ମୀଙ୍କ ହତ୍ୟା ଅଭିଯୁକ୍ତ ବିକାଶ ଦୁବେ ଉପରେ ପୋଲିସ୍‌ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯିବ। ଘଟଣା ପରେ ଆଇଜି ରେଞ୍ଜ ତା ଉପରେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଏବେ ଏହି ରାଶିକୁ ୧ ଲକ୍ଷ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.