ଜାରି ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍: ନଭେମ୍ବର ପାଇଁ ଲାଗୁ ହେଲା ନୂଆ ଦର
1/11/2020 at 1:35 PM

ନୂଆଦିଲ୍ଲୀ ୦୧/୧୧ : ବୃଦ୍ଧି ପାଉଥିବା ମହଙ୍ଗା ଦର ମଧ୍ୟରେ ବର୍ତ୍ତମାନ ଟିକିଏ ଆଶ୍ବସ୍ତିକର ଖବର ଆସିଛି। ସରକାରୀ ତୈଳ କମ୍ପାନୀ ନଭେମ୍ବର ମାସ ପାଇଁ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମରେ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଅକ୍ଟୋବର ମାସରେ HPCL, BPCL, IOC ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ କରିନଥିଲେ। ଗୋଟିଏପଟ ବଜାରରେ ଆଳୁ, ପିଆଜ, ପନିପରିବା, ଡାଲି ଦାମ୍ ବୃଦ୍ଧି ପାଇଥିବା ସମୟରେ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପାଇନଥିବାରୁ ଗ୍ରାହକଙ୍କ ପାଇଁ ଏହା ଆଶ୍ବସ୍ତିକର ଖବର। ତେବେ ୧୯ କିଲୋ ବିଶିଷ୍ଟ କମର୍ସିୟାଲ୍ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୭୮ ଟଙ୍କା ବୃଦ୍ଧି ପାଇଛି।
ଏହା ପୂର୍ବରୁ ୧୪ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର୍ ଦାମ୍ ଗତ ଜୁଲାଇ ମାସରେ ୪ ଟଙ୍କା ବୃଦ୍ଧି ପାଇଥିଲା। ଜୁନ୍ ମାସରେ ଦିଲ୍ଲୀରେ ଅଣ-ସବସିଡ଼ି ଏଲପିଜି ସିଲିଣ୍ଡର ୧୧.୫୦ ଟଙ୍କା ମହଙ୍ଗା ହୋଇଥିଲା। ମଇ ମାସରେ ୧୬୨.୫୦ ଟଙ୍କା ଶସ୍ତା ହୋଇଥିଲା।
ଦେଶର ସବୁଠାରୁ ବଡ ତୈଳ କମ୍ପାନୀ IOC ୱେବସାଇଟରେ ଦିଆଯାଇଥିବା ନୂଆ ଦାମ୍ ଅନୁସାରେ ଦିଲ୍ଲୀରେ ସିଲିଣ୍ଡର ଦାମ୍ ସ୍ଥିର ରହିଛି। ଗତ ମାସରେ ସିଲିଣ୍ଡର୍ ଦର ଯାହା ଥିଲା ନଭେମ୍ବର ମାସରେ ମଧ୍ୟ ତାହା ହିଁ ରହିବ।
ଦିଲ୍ଲୀରେ ୧୪ କିଲୋ ଅଣ-ସବସିଡ଼ି ସିଲିଣ୍ଡର୍ ଦାମ୍ ୫୯୪ ଟଙ୍କାରେ ସ୍ଥିର ରହିଛି। ମୁମ୍ବାଇରେ ଅଣ-ସବସିଡ଼ି ସିଲିଣ୍ଡର ୫୯୪ ଟଙ୍କା ରହିଛି। ଚେନ୍ନାଇରେ ସିଲିଣ୍ଡର୍ ୬୧୦ ଟଙ୍କା ରହିଛି। କୋଲକାତାରେ ସିଲିଣ୍ଡର୍ ଦାମ୍ ୬୨୦ ଟଙ୍କା ରହିଛି।
ନଭେମ୍ବର ପାଇଁ ୧୯ କିଲୋ ବିଶିଷ୍ଟ କମର୍ସିୟାଲ୍ ସିଲିଣ୍ଡର୍ ଦାମ୍ ବୃଦ୍ଧି ପାଇଛି। ଚେନ୍ନାଇରେ ସବୁଠାରୁ ଅଧିକ ସିଲିଣ୍ଡର ପିଛା ୭୮ ଟଙ୍କା ବୃଦ୍ଧି ପାଇଛି। ଏଠାରେ କମର୍ସିୟାଲ୍ ସିଲିଣ୍ଡର୍ ୧୩୫୪ ଟଙ୍କା ରହିଛି। କୋଲକାତା ଓ ମୁମ୍ବାଇରେ ସିଲିଣ୍ଡର ପିଛା ୭୬ ଟଙ୍କା ବୃଦ୍ଧି ପାଇଛି। ଏହି ଦୁଇ ସହରରେ ଦାମ୍ କ୍ରମଶଃ ୧୨୯୬ ଓ ୧୧୮୯ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ କମର୍ସିୟାଲ୍ ଗ୍ୟାସ୍ ସିଲିଣ୍ଡର୍ ୧୨୪୧ ଟଙ୍କା ରହିଛି।