ଓଡିଶା ରାଜନୀତିରେ ନୂଆ ସାମ୍ମୁଖ୍ୟ; ଗଠନ ହେଲା 'ଓଡିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ'

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର ୨୧|୧:  ଓଡିଶା ରାଜନୀତିରେ ନୂଆ ସାମ୍ମୁଖ୍ୟ ଗଠନ ହୋଇଛି । ସମତା କ୍ରାନ୍ତି ଦଳ ଓ ଉତ୍କଳ ଭାରତ ମିଶି ଗଠନ ହୋଇଛି ନୂଆ ସାମ୍ମୁଖ୍ୟ ‘ ଓଡିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ । ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏବଂ ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁ ନୂଆ ସାମ୍ମୁଖ୍ୟ ନେଇ ଏହା ସ୍ପଷ୍ଟ କରିଛନ୍ତି । ସରକାର ପରିବର୍ତ୍ତନ କରିବା ସାମ୍ମୁଖ୍ୟର ମୂଳ ଲକ୍ଷ୍ୟ ରହିଛି । ଅପାରଗ ଓ ଦୁର୍ନୀତିଗ୍ରସ୍ତ ବିଜୁ ଜନତା ଦଳକୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ରହିଛି ।  ବିଜୁ ଜନତା ଦଳ ୧୯ବର୍ଷ ଧରି ଓଡିଶାକୁ ଦରିଦ୍ର କରିଛି । ବିଭିନ୍ନ କ୍ଷେତ୍ରରେ ମାନବୃଦ୍ଧି ଉପରେ ସରକାର ଗୁରୁତ୍ବ ଦେଉନାହାନ୍ତି । ଫଳରେ ଲୋକେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି । କୃଷିକ୍ଷେତ୍ର ମଧ୍ୟ ଅବହେଳିତ ହୋଇ ରହିଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । 

ସାମୁଖ୍ୟ ନେଇ ଶ୍ରୀକାନ୍ତ ଜେନା, ଦାମୋଦର ରାଉତ ଏବଂ ବୈଜୟନ୍ତ ପଣ୍ଡାଙ୍କ ସହ ଯୋଗାଯୋଗରେ ଥିବା ଖାରବେଳ ସ୍ବାଇଁ କହିଛନ୍ତି । ଓଡିଶାର ସମସ୍ତ ବିଜେଡି ବିରୋଧୀମାନଙ୍କୁ ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟରେ ଯୋଗଦେଇ ଭ୍ରଷ୍ଟାଚାର, କୁଃଶାସନ ବିରୋଧରେ ଲଢେଇକୁ ଜୋରଦାର କରାଯିବ । ଅନ୍ୟାନ୍ୟ ରାଜନୈତିକ ଦଳ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ନେଇ ସେ ଆହ୍ବାନ ମଧ୍ୟ ଦେଇଛନ୍ତି । କଂଗ୍ରେସ ସହ ମେଣ୍ଟ କରିବା ନେଇ କୌଣସି ସମ୍ଭାବନା ନାହିଁ । ମେଣ୍ଟରେ ବିଜେପିକୁ ସାମିଲ ନେଇ ସେ କହିଛନ୍ତି ଯଦି ବିଜେପି ତାର ବିଜେଡି ବିରୋଧୀ ଆଭିମୁଖ୍ୟ ତୀବ୍ର କରେ ତେବେ ମେଣ୍ଟରେ ସାମିଲ କରିବା ନେଇ ଚିନ୍ତା କରାଯିବା । ଆମ ସମାମତାବଲମ୍ବୀ କେହି ଆସିଲେ ସେତେବେଳେ ଚିନ୍ତା କରାଯିବ । ରାଜନୀତିରେ କାଲି କଣ ହେବ ସେକଥା ଆଜି କହିବା ସମ୍ଭବ ନୁହେଁ ବୋଲି ବ୍ରଜ ତ୍ରିପାଠୀ କହିଛନ୍ତି ।

ଓଡିଶା ଗଣତାନ୍ତ୍ରିକ ସାମୁଖ୍ୟ କ୍ଷମତାକୁ ଆସିଲେ ଶିଳ୍ପର ବିସ୍ତାର କରିବ, ବେକାରୀ ଦୂରୀକରଣ କରି, କୃଷି ସମସ୍ୟ ଦୂର କରିବ, ପ୍ରାଥମିକ ଓ ଉଚ୍ଚ ଶିକ୍ଷାକ ମାନବୃଦ୍ଧି କରିବ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଢ କରିବ ଓ ରାଜ୍ୟକୁ ସୁଶାନ ପ୍ରଦାନ କରିବ ।

ଏହି ସାମ୍ବାଦିକ ସମ୍ମିଳନୀରେ ସମତା କ୍ରାନ୍ତି ଦଶ ସଭାପତି ପ୍ରଶାନ୍ତ ମିଶ୍ର, ଯୁବ ସଭାପତି ଶାରଦା ପ୍ରଶନ୍ନ ସ୍ବାଇଁ, ସାଧାରଣ ସମ୍ପାଦକ ଦିଗନ୍ତ ଦେ, ସମ୍ପାଦକ ପ୍ରଭାସ ସାମନ୍ତରାୟ ଏବଂ ଉତ୍କଳ ଭାରତର ଉପସଭାପତି ଲୋକନାଥ ଷଡଙ୍ଗୀ, ସଂପାଦକ ତାମିଲୁଦ୍ଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.