ଭୁବନେଶ୍ବର ୨୪।୫ : ଆସନ୍ତା ସୋମବାର ଦିନ ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ନେବ ଶପଥ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନ୍ୟୁଜ୍ ଏଜେନ୍ସିକୁ ଏହି ସୂଚନା ଦେଇଛନ୍ତି । ଫଳରେ ଆଜିଠାରୁ ମନ୍ତ୍ରୀମଣ୍ଡଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି କଲ୍ପନାଜଳ୍ପନା ।
ବାରମ୍ବାର ଜିତି ଆସୁଥିବା ପ୍ରାର୍ଥୀମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ବ୍ୟଗ୍ର ହେଉଥିବାବେଳେ ମନ୍ତ୍ରୀମଣ୍ଡଳରେ ଯୁବ ଓ ମହିଳାଙ୍କୁ ନବୀନ ଅଧିକ ପ୍ରାଧାନ୍ୟ ଦେବେ ବୋଲି ଅନୁମାନ କରାଯାଉଛି । ଆଜି ଅପରାହ୍ନରେ ବିଦ୍ଧିବଧଭାବେ ନିର୍ବାଚନ ଫଳାଫଳ ଓ ବିଜୟୀ ତାଲିକା ନିର୍ବାଚନ ଅଧିକାରୀ ପ୍ରକାଶ କରିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠୁ ବିଜୟୀ ପ୍ରାର୍ଥୀମାନେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପାଇଁ ଲବି ଆରମ୍ଭ କରିସାରିଛନ୍ତି । ଗତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ମହେଶ୍ବର ମହାନ୍ତି ଏଥର ହାରି ଯାଇଥିବାବେଳେ ବିଜୟଶ୍ରୀ ରାଉତରାୟ ନିର୍ବାଚନ ଲଢିନାହାନ୍ତି । ତାଙ୍କ ସ୍ଥାନରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବାସୁଦେବପୁରରୁ ବିଜୟୀ ହୋଇଛନ୍ତି ।
ଅନ୍ୟପକ୍ଷରେ ଗତଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ କିଛି ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ହଟାଯାଇ ସେମାନଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସଙ୍କ ଭଳି ନେତାମାନେ ମନ୍ତ୍ରିମଣ୍ଡଳରେ ନିଶ୍ଚୟ ସ୍ଥାନ ପାଇବା ପାଇଁ ଆଶା ବାନ୍ଧିଛନ୍ତି ।