ପ୍ରଧାନମନ୍ତ୍ରୀଙ୍କ ନିକଟରେ ଭିଜନ ରଖିଲେ ନୂଆ ମନ୍ତ୍ରୀ, ପଶୁପତି ପାରସ ମାଗିଲେ୧୦ଦିନ ସମୟ,ଜାଣନ୍ତୁ କିଏ କହିଲେ କ’ଣ?

Published By : Prameya-News7 Bureau | July 08, 2021 IST

ନୂଆଦିଲ୍ଲୀ ୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସାମିଲ ନୂଆମନ୍ତ୍ରୀ ଗୁରୁବାର ନିଜନିଜ ବିଭାଗର ଦାୟିତ୍ୱଗ୍ରହଣ କରିଛନ୍ତି। ଏଥର ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ୧୧ ଜଣ ମହିଳାଙ୍କୁ ସ୍ଥାନ ମିଳିଛି, ଯେଉଁମାନଙ୍କ ମଧ୍ୟରେ ୭ ଜଣ ସମ୍ପୂର୍ଣ୍ଣ ନୂଆ। ମନ୍ତ୍ରୀମାନେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଆଗର ନିଜନିଜ ବିଭାଗ ଲାଗି ଭିଜନ ରଖିଛନ୍ତି। ତେବେ କିଛି ମନ୍ତ୍ରୀ ବିଭାଗମାନଙ୍କର କାର୍ଯ୍ୟ ତର୍ଜମା କରିବା ପରେ ହିଁ ଯାହା ମତାମତ ଦେଇପାରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

କେନ୍ଦ୍ର ଖାଦ୍ୟ ପ୍ରସଂସ୍କରଣ ଏବଂ ଉଦ୍ୟୋଗ ମନ୍ତ୍ରୀ ପଶୁପତି କୁମାର ପାରସ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ ଲାଗି ଯୋଗ୍ୟ ମନେ କରିଥିବାରୁ  ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ମୁଁ ଆଜି ମୋ ବିଭାଗରେ ଯୋଗ ଦେଇଥିବା ସୂଚିତ କରିଥିଲେ। ତେବେ ସେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତାଙ୍କ ବିଭାଗର ସମ୍ପୂର୍ଣ୍ଣ କାର୍ଯ୍ୟ ଅଧ୍ୟାୟନ କରିବେ ଓ ୧୯ ତାରିଖ ଦିନ ନିଜ ବିଭାଗ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ଦେବେ ବୋଲି କହିଥିଲେ।

ସେହିପରି ନୂଆ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର କିରଣ ରିଜ୍ଜୁ ଦେଶର କ୍ରିଡାକୁ ଯେଉଁ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି ତାକୁ ଆହୁରି ଆଗକୁ ନେଇ ଯିବାରୁ ମୁଁ ଉଦ୍ୟମ କରିବା ସହ ପ୍ରଧାନମନ୍ତ୍ରୀଙ୍କ ବିଚାରକୁ ସାକାର କରିବେ ବୋଲି କହିଥିଲେ। ସେହିପରି ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ କୃତଜ୍ଞତା ଜ୍ଞାପନ କରିଥିଲେ ଓ ଦ୍ୱିତୀୟବାର ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିବାରୁ ଧନ୍ୟବାଦ ଜଣାଇଥିଲେ। ତାଙ୍କ ଲାଗି ଏହା ସମ୍ପୂର୍ଣ୍ଣ ନୂଆ ବିଭାଗ ବୋଲି କହିବା ସହ ଏଥିରୁ ସେ ଅନେକ କିଛି ଅଭିଜ୍ଞତା ହାସଲ କରିପାରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।

ସେହିପରି ଗ୍ରାମ୍ୟ ବିକାଶ ଓ ପଞ୍ଚାୟତରାତ ମନ୍ତ୍ରୀ ଗିରିରାଜ ସିଂହ ଆତ୍ମ ନିର୍ଭର ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବା ମୋର ମୁଖ୍ୟ ଲକ୍ଷ ହେବ ବୋଲି କହିଛନ୍ତି। ଲୋକଙ୍କ ପଳାୟନ ରୋକିବା ଲାଗି ସେ ଆତ୍ମ ନିର୍ଭର ଭାରତର ନୂଆ ସ୍ୱରୂପ ଛିଡା କରିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି କହିବା ସହ ଏଥିରେ ଲୋକଙ୍କ ଲାଗି ସମସ୍ତ ସୁଖ ସୁବିଧାର ବ୍ୟବସ୍ଥା କରିବା ତାଙ୍କର ଉଦ୍ଦେଶ୍ୟ ହେବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.