ନୂଆଦିଲ୍ଲୀ ୧୦।୦୭: ଟିମ୍ ଇଣ୍ଡିଆ ପାଇଛି ନୂଆ କୋଚ୍ । ଚର୍ଚ୍ଚା ଅନୁଯାୟୀ ପୂର୍ବତନ ଷ୍ଟାର୍ ଓପନର୍ ଗୌତମ ଗମ୍ଭୀର ନେଇଛନ୍ତି ରାହୁଲ ଦ୍ରାବିଡଙ୍କ ସ୍ଥାନ । ଗତ କିଛି ଦିନ ହେବ ଏହା ନିଶ୍ଚିତ ଥିଲା ଯେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବେ । କିନ୍ତୁ କେବଳ ବିସିସିଆଇର ଘୋଷଣାକୁ ରହିଥିଲା ଅପେକ୍ଷା। ଏହି ଅପେକ୍ଷାର ହୋଇଛି ସମାପ୍ତ ।
ଶେଷରେ ଭାରତୀୟ କ୍ରିକେଟ୍ ବୋର୍ଡ ଆସନ୍ତା ୩.୫ ବର୍ଷ ପାଇଁ ଗମ୍ଭୀରଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛି । କିନ୍ତୁ ଏବେ କୋଚ୍ ଭାବେ ତାଙ୍କ ନାଁ ଘୋଷଣା ତାରିଖକୁ ନେଇ ଖୁବ୍ ଚର୍ଚ୍ଚା । ସମସ୍ତଙ୍କ ମନରେ ପ୍ରଶ୍ନ ଏହା କୌଣସି ସଂଯୋଗ ନାଁ ପ୍ଲାନିଙ୍ଗ୍ ?
ବାସ୍ତବରେ ୯ ଜୁଲାଇ ଅର୍ଥାତ୍ ୯/୭ରେ ବିସିସିଆଇ କୋଚ୍ ପଦ ପାଇଁ ଗମ୍ଭୀରଙ୍କ ନାଁ ଘୋଷଣା କରିଛି । କିନ୍ତୁ ଏହି ସଂଖ୍ୟା ଗମ୍ଭୀରଙ୍କ ପାଇଁ କେତେ ଖାସ୍ ଏକଥା ପ୍ରାୟ ସବୁ କ୍ରିକେଟ ପ୍ରେମୀଙ୍କ ପାଇଁ ଜଣା । ବାସ୍ତବରେ ଏହି ସଂଖ୍ୟା ସହ ଗମ୍ଭୀରଙ୍କର ରହିଛି ଖାସ୍ କନେକ୍ସନ୍ । ୧୩ ବର୍ଷ ପୂର୍ବେ ୱାନଖଡେ ଷ୍ଟାଡିୟମରେ ଗମ୍ଭୀରଙ୍କ ନାଁ ଆଗରେ ଲାଗିଥିଲା ଏହି ୨ଟି ସଂଖ୍ୟା, ଯେତେବେଳେ ଟିମ୍ ଇଣ୍ଡିଆ ୨୮ ବର୍ଷର ଦୀର୍ଘ ଅପେକ୍ଷା ପରେ ଜିତିଥିଲା ବିଶ୍ୱକପ୍ ।
୨୦୧୧ ଫାଇନାଲରେ ଗମ୍ଭୀର ୯୭ ରନ୍ କରି ଟିମ୍ ଇଣ୍ଡିଆକୁ ଟାଇଟଲ୍ ଜିତିବାରେ ସାହାଯ୍ୟ କରିଥିଲେ । ତେବେ ଏହା କୌଣସି ସଂଯୋଗ କିମ୍ବା ସୁଚିନ୍ତିତ ନିଷ୍ପତ୍ତି, ସେକଥା ତ ଅସ୍ପଷ୍ଟ । କିନ୍ତୁ ଭାରତୀୟ ଫ୍ୟାନ୍ସ ଗମ୍ଭୀରଙ୍କଠାରୁ ସମାନ ଆଶ୍ଚର୍ଯ୍ୟଜନକ ଫଳାଫଳର ଆଶା ରଖିବେ ।