ସାପଧରାଳିଙ୍କ ପାଇଁ ଗାଇଡଲାଇନ୍ : ମାଗଣା ବୀମା କରିବେ ସରକାର, ସାପର କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ
10/08/2023 at 8:30 AM

ଭୁବନେଶ୍ୱର ୧୦।୦୮ : ସାପଧରାଳିଙ୍କ ପାଇଁ ମାଗଣା ବୀମା । ସାପ ଧରିବା ଓ ଛାଡିବା ସହ ସାପଧରାଳିଙ୍କ ପାଇଁ ବିସ୍ତୃତ ଗାଇଡଲାଇନ ଜାରି କରିଛି ଜଙ୍ଗଲ ଓ ପରିବେଶ ବିଭାଗ । ରାଜ୍ୟର ସବୁ ସାପଧରାଳି ସରକାରଙ୍କ ପାଖରେ ପଞ୍ଜୀକରଣ କରିବାକୁ ବାଧ୍ୟ ବୋଲି କୁହାଯାଇଛି । ଏଥିସହ ସାପଧରାଳିଙ୍କ ପାଇଁ ସରକାର ବୀମା କରିବେ।
ସାପଧରାଳିଙ୍କ ସୁରକ୍ଷା ପାଇଁ ଓସଡମା ପାଣ୍ଠିରୁ ସୁରକ୍ଷା ଟୁଲ ବି ମିଳିବ । ତେବେ କେହି ସାପର କ୍ଷତି ପହଁଞ୍ଚାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଗାଇଡଲାଇନ ଅନୁସାରେ କେବଳ ଜଙ୍ଗଲ ବିଭାଗ ଦ୍ବାରା ସ୍ବୀକୃତିପ୍ରାପ୍ତ ସାପଧରାଳି ହିଁ ଜନବସତି ଅଞ୍ଚଳରୁ ସାପକୁ ଧରି ଜଙ୍ଗଲରେ ଛାଡିପାରିବେ । ଯେଉଁମାନେ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ହେବାକୁ ଆଗ୍ରହୀ ଅଛନ୍ତି ସେମାନେ ଆବେଦନ କରିବାକୁ କୁହାଯାଇଛି।
ସେହିପରି ୬୫ବର୍ଷରୁ କମ୍ ବୟସର ଲୋକ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ପଦବି ପାଇଁ ଆବେଦନ କରିପାରିବେ। ଏସିଏଫଙ୍କ ଦ୍ବାରା ଗଠିତ କମିଟି ଆବେଦନପତ୍ର ଗ୍ରହଣ କରିବା ସହ ତାଲିକା ଚୂଡ଼ାନ୍ତ କରିବେ। ସ୍ବୀକୃତିପ୍ରାପ୍ତ ସାପ ଧରାଳୀଙ୍କ ପାଖରେ ପିଭିସି ପାଇପ୍ ଏବଂ ବ୍ୟାଗ୍, ଫାଷ୍ଟ ଏଡ୍ କିଟ୍, ଟର୍ଚ୍ଚ, ସାପ କାମୁଡ଼ା ବ୍ୟାଣ୍ଡେଜ୍, ସାପ ଧରା ହୁକ୍, ଫ୍ରେମ୍ ଲାଗିଥିବା କପଡ଼ା ବ୍ୟାଗ୍, ସାପ ଧରା ବ୍ୟାଗ୍, ରଖିବାକୁ କୁହାଯାଇଛି।