ନନ୍ଦନକାନନରେ ନୂଆ ଅତିଥି, ଆଇଜଲ ଚିଡିଆଖାନାରୁ ଆସିଲେ ହୁଲକ ଗିବନ ସମେତ ୫ ଜୀବଜନ୍ତୁ
9/09/2023 at 9:21 AM

ବାରଙ୍ଗ ୦୯/୦୯: ନନ୍ଦନାକନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଶୁକ୍ରବାର ରାତିରେ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ ଜୁଲୋଜିକାଲ ଚିଡ଼ିଆଖାନରୁ ୩ ପ୍ରଜାତିର ୫ ଜୀବଜନ୍ତୁ ଆସି ପହଞ୍ଚିଛନ୍ତି । ଏହି ୫ ଜୀବଜନ୍ତୁ ଆସିବା ପରେ ପ୍ରାଣୀ ଉଦ୍ୟାନରେ ମୋଟ୍ ଜୀବଜନ୍ତୁ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି । ନୂତନ ଜୀବଜନ୍ତୁଙ୍କୁ କେନ୍ଦ୍ରୀୟ ଚିଡ଼ିଆଖାନା ନିୟମ ଅନୁଯାୟୀ, ପ୍ରାୟ ଏକ ମାସ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ ।
ପରେ ସେମାନଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ଖୁଆଡରେ ଛଡାଯିବ । ଏହି ଅଦଳ ବଦଳ ପ୍ରକ୍ରିୟାରେ ଆଇଜଲ ଚିଡ଼ିଆଖାନାରୁ ଗୋଟିଏ ହଳ ହୁଲୁକ ଗିବନ (୪ ବର୍ଷୀୟ ଅଣ୍ଡିରା କୁକୁଟିଆ ଓ ୧୩ ବର୍ଷିୟା ମାଈ ସଲବିନି), ଗୋଟିଏ ହଳ (ଅଣ୍ଡିରା, ମାଈ) ୭ ବର୍ଷୀୟ ଘୁଷୁରୀ ଲାଞ୍ଜି ମାଙ୍କଡ଼, ୧୧ ବର୍ଷୀୟ କଳା ହିମାଳୟ ଭାଲୁ (ମାଈ) ଦାୟୁ ଶୁକ୍ରବାର ରାତିରେ ଆସି ପହଞ୍ଚିଛନ୍ତି ।
ପ୍ରତିବଦଳରେ ଆଇଜଲ ଚିଡିଆଖାନାକୁ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଦୁଇହଳ ବାଘ (ଅଣ୍ଡିରା,ମାଈ) ଦିଆଯାଇଥିଲା । ନନ୍ଦନକାନନ ବଟାନିକାଲ ଗାର୍ଡେନର ଏସିଏଫ୍ ଡ.ସୁଦୀପ୍ତ କୁମାର ପଣ୍ଡା, ପ୍ରାଣୀ ଚିକିତ୍ସକ ଡ. ବିକ୍ରମ ଟି, ଫରେଷ୍ଟଗାର୍ଡ ପ୍ରତାପ ଖୁଣ୍ଟିଆ, ଜନ୍ତୁ ରକ୍ଷକ ପ୍ରତାପ ରାଉତ, ଅସ୍ଥାୟୀ କର୍ମଚାରୀ ପ୍ରକାଶ ମଣ୍ଡଳ ଓ ଗଙ୍ଗାଧର ହାଂସଦା ଏହି ଅଦଳବଦଳ ପ୍ରକିୟାରେ ଜନ୍ତୁ ଆଣିବାକୁ ଯାଇଥିଲେ ।
ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘୁଷୁରୀ ଲାଞ୍ଜି ମାଙ୍କଡ଼ ଏକ ନୂଆ ପ୍ରଜାତି ଯୋଡ଼ି ହୋଇଛି । ଏବେ ପର୍ଯ୍ୟଟନ ୠତୁରେ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନରେ ହୁଲୁକ ଗିବନ ସହିତ ଘୁଷୁରୀ ଲାଞ୍ଜି ମାଙ୍କଡ଼କୁ ଦେଖିପାରିବେ ।
you can also read…