ସୁପ୍ରିମକୋର୍ଟର ୭୫ତମ ବାର୍ଷିକ ଅବସରରେ ନୂଆ ପତାକା ଓ ଲୋଗୋ ଉନ୍ମୋଚନ କଲେ ରାଷ୍ଟ୍ରପତି

Published By : Prameya-News7 Bureau | September 01, 2024 IST

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ୭୫ ତମ ବାର୍ଷିକ ଉପଲକ୍ଷେ  ରବିବାର ନୂଆ ପତାକା ଓ ପ୍ରତୀକ ଚିହ୍ନ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ନ୍ୟାୟାଳୟମାନଙ୍କରେ ‘ସ୍ଥଗନ ସଂସ୍କୃତି’କୁ ବଦଳାଇବା ନିମନ୍ତେ ଉଦ୍ୟମ  ହେବା ଦରକାର। ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସୁପ୍ରିମକୋର୍ଟର ପତାକା ଓ ପ୍ରତୀକ ଚିହ୍ନ ମଧ୍ୟ ଜାରି କରିଛନ୍ତି। 

ଜିଲ୍ଲା ନ୍ୟାୟପାଳିକାର ଦୁଇ ଦିବସୀୟ ଜାତୀୟ ସମ୍ମିଳନୀର ସମାପନ ସମାରୋହରେ ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ନ୍ୟାୟାଳୟମାନଙ୍କରେ ଲମ୍ବିତ ମାମଲା ଆମ ସମସ୍ତଙ୍କ ପାଇଁ ଏବେ ଏକ ମସ୍ତବଡ଼ ଆହ୍ୱାନରେ ପରିଣତ ହୋଇଛି। ଏଣୁ ଦେଶର ସବୁ ବିଚାରପତିଙ୍କ ଦାୟିତ୍ୱ ହେଉଛି ସେମାନେ ନ୍ୟାୟର ରକ୍ଷା କରନ୍ତୁ। ସେ କହିଛନ୍ତି ଯେ ନ୍ୟାୟାଳୟମାନଙ୍କରେ ସାଧାରଣ ଲୋକଙ୍କ ଉତ୍ତେଜନା ସ୍ତର ବଢିଯାଉଥିବା ଓ ବ୍ଲାକ୍ କୋର୍ଟ ସିଣ୍ଡ୍ରୋମର ଉଲ୍ଲେଖ କରି ଏହାର ଅଧ୍ୟୟନ ପାଇଁ ପରାମର୍ଶ ଦେଇଛନ୍ତି। 


ସେହିପରି ଦେଶର ନ୍ୟାୟାଳୟମାନଙ୍କରେ ମହିଳା ନ୍ୟାୟିକ ଅଧିକାରୀଙ୍କ ସଂଖ୍ୟାରେ ହୋଇଥିବା ବୃଦ୍ଧିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଦେଶରେ ଦୁଷ୍କର୍ମ ମାମଲାରେ ବିଳମ୍ବରେ ନ୍ୟାୟ ମିଳୁଥିବାରୁ ରାଷ୍ଟ୍ରପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ମାମଲାର ବିଚାରରେ ବିଳମ୍ବ ଯୋଗୁ ଲୋକଙ୍କୁ ଲାଗୁଛି ଏହି ମାମଲାଗୁଡିକ ପାଇଁ ସମ୍ବେଦନା କମ। ତେବେ ବିଳମ୍ବ ମାନେ କେତେ ୧୨ ବା ୨୦ ବର୍ଷ? ନ୍ୟାୟ ମିଳିବା ବେଳକୁ ଜୀବନ ସମାପ୍ତ ହୋଇ ସାରିଥିବ, ମୁହଁରୁ ହସ ଉଭେଇ ସାରିଥିବ। ଏହି ମାମଲାକୁ ଗୁରୁତର ସହ ବିଚାର କରାଯିବା ଦରକାର ବୋଲି ରାଷ୍ଟ୍ରପତି କହିଛନ୍ତି। 


ସୁପ୍ରିମକୋର୍ଟ ସ୍ଥାପନାକୁ ୭୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜଜଙ୍କ ଅଖିଳ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ। ଏଥିରେ ମହିଳା ଓ ପିଲାଙ୍କ ସମ୍ପର୍କିତ ଅପରାଧ ଦେଶରେ ଚିନ୍ତାର ବିଷୟ ହୋଇଥିବାର କହିଥିଲେ। ଏଣୁ ଏପରି ମାମଲାଗୁଡିକର ତୁରନ୍ତ ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀ ଜିଲ୍ଲା ବିଚାରପତିମାନଙ୍କୁ ଅପିଲ କରିଥିଲେ। ରବିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତର ମୁଖ୍ୟ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.