ଟି-୨୦ ବିଶ୍ଵକପ୍ ଦଳରେ ଦେଖିବାକୁ ମିଳିବ ନାହିଁ ନୂଆ ଚେହେରା, ଜାଣନ୍ତୁ ସମ୍ଭାବ୍ୟ ୨୦ ଜଣିଆ ଭାରତୀୟ ଦଳ

Published By : Prameya-News7 Bureau | April 17, 2024 IST

Aajtak

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ ୨୦୨୪କୁ ନେଇ ପ୍ରାୟ ସବୁ  କ୍ରିକେଟ୍ ବୋର୍ଡ ନିଜର ପ୍ରସ୍ତୁତି କରି ସାରିଛନ୍ତି। ବିଶ୍ଵକପ୍‌ ପାଇଁ ଦଳ ଘୋଷଣାର ଶେଷ ତାରିଖ ମେ ୧ ତାରିଖ ରହିଛି। ଏହି ସମୟ ଭିତରେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସବୁ ଦଳ ନିଜର ଦଳ ଚୟନ କରି ଆଇସିସିକୁ ତାଲିକା ପ୍ରଦାନ କରିବେ।

ଏହି କ୍ରମରେ ବିସିସିଆଇ ମଧ୍ୟ ନିଜର ପ୍ରସ୍ତୁତି ପାଖାପାଖି ପୂରା କରି ସାରିଛି। ଚୟନକର୍ତ୍ତା ଶୀଘ୍ର ଭାରତୀୟ ଦଳ ଘୋଷଣା କରି ପାରନ୍ତି। ଜୁନ ୧ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ଵକପ୍ ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଖେଳାଯିବ। ଏହା ମଧ୍ୟରେ ପିଟିଆଇ ସୂତ୍ରରୁ ଖବର ପ୍ରକାଶ ପାଇଛି ଯେ, ଏଥର ବିସିସିଆଇ ନିଜର ବିଶ୍ଵକପ୍ ଦଳରେ କୌଣସି ବିଶେଷ ପରିବର୍ତ୍ତନ କରିବ ନାହିଁ। ଦଳରେ କୌଣସି ନୂତନ ଚେହେରାଙ୍କୁ ସ୍ଥାନ ମିଳିବ ନାହିଁ। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଏହି ଦଳରେ ବିରାଟ କୋହଲି, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମେତ ୨୦ ଖେଳାଳିଙ୍କୁ ସ୍ଥାନ ମିଳିବ।

Also read: କୋହଲି, ରୋହିତ, ଯଶସ୍ବୀ କି ଇଶାନ୍‌, କିଏ ହେବ ଟି-୨୦ ଓ୍ବାର୍ଲ୍ଡକପ୍‌ର ଓପନର୍‌ ?

୧୫ ଜଣିଆ ଦଳ ସହ ୫  ଜଣଙ୍କୁ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ରଖାଯିବ। ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଭାରତୀୟ ଚୟନକର୍ତ୍ତା ଦଳ ଚଳିତ ମାସ ଶେଷ ଆଡ଼କୁ କିମ୍ବା ମେ ୧ ତାରିଖରେ ଦଳ ଘୋଷଣା କରି ପାରନ୍ତି। ୨୦ ଜଣିଆ ଦଳରେ ୬ ସ୍ଵତନ୍ତ୍ର ବ୍ୟାଟର ରହି ପାରନ୍ତି। ଏଥିରେ ୪ ଅଲରାଉଣ୍ଡର. ୩ ବିଶେଷଜ୍ଞ ସ୍ପିନର ଓ ୩ ଓ୍ଵିକେଟ୍ କିପର ବ୍ୟତୀତ ୪ ଦ୍ରୁତ ବୋଲର ସାମିଲ୍। ଏଥିରୁ ହିଁ ୫ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯିବ।

ବିଶ୍ଵକପ୍ ପାଇଁ ଭାରତର ସମ୍ଭାବିତ ୨୦ ଜଣିଆ ଦଳ

ବ୍ୟାଟର(୬)- ରୋହିତ ଶର୍ମା, ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂ।

ଅଲରାଉଣ୍ଡର(୪)- ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶିବମ ଦୁବେ ଓ ଅକ୍ଷର ପଟେଲ।

ସ୍ପେଶାଲିଷ୍ଟ ସ୍ପିନର(୩)- କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ରବି ବିଷ୍ନୋଇ।

ଓ୍ଵିକେଟ୍ କିପର(୩)- ଋଷଭ ପନ୍ତ, କେଏଲ ରାହୁଲ ଓ ସଞ୍ଜୁ ସାମସନ।

ଦ୍ରୁତ ବୋଲର(୪)- ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଓ  ଅଭେଶ ଖାନ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.