ଭୀମସାର ଡାକ୍ତରଙ୍କ ନିଆରା ପ୍ରୟାସ, ରୋଗୀଙ୍କ ମାନସିକ ଦୁଃଶ୍ଚିନ୍ତା ଦୂର କରିବାକୁ ଭଜନ ଚିକିତ୍ସା
17/07/2023 at 3:52 PM

ସମ୍ୱଲପୁର ୧୭/୦୭: ରୋଗୀଙ୍କ ମାନସିକ ଦୁଃଶ୍ଚିନ୍ତା ଦୂର କରିବା ପାଇଁ ଭୀମସାରରେ ଡାକ୍ତରଙ୍କ ନୂଆ ପ୍ରୟାସ । ରୋଗୀଙ୍କୁ ନେଇ ଆୟୋଜନ କଲେ ଭଜନ ଚିକିତ୍ସା । ଭଲ ଭଜନ ଗାଉଥିବା ରୋଗୀ ଭଜନ ଗାଇବା ସହ ଲୋକଙ୍କୁ ମନୋରଂଜନ କରିଛନ୍ତି । ସେପଟେ ଡାକ୍ତର ରାମଚନ୍ଦାନୀଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ବିଭିନ୍ନ ଜିଲ୍ଲାରୁ ରୋଗୀ ଆସୁଥିବାବେଳେ ସେମାନଙ୍କ ମନରୁ ଦୁଶ୍ଚିନ୍ତା ଦୂର କରିବା ପାଇଁ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ଏହି ନୂଆ ତରିକା ଆପଣେଇଛନ୍ତି । ଏହା ସହ ସନ୍ଧ୍ୟା ସମୟରେ ଏହି ଭଜନ ଚିକିତ୍ସା କରାଇ ସେଠାରେ ଭର୍ତ୍ତିଥିବା ରୋଗୀଙ୍କ ମନକୁ ହାଲକା କରିବାକୁ ଚେଷ୍ଟା କରିଛନ୍ତି । ଯେଉଁଥିରେ ରୋଗୀ ମଧ୍ୟ ହସ ଖୁସିରେ ଭଜନ ଚିକିତ୍ସାର ଲାଭ ଉଠାଇ ତାଳି ମାରୁଥିବା ଦେଖିବାକୁ ମିଳିଛି ।
ଏହା ସହ ହସ୍ପିଟାଲ ଭିତରେ ରୋଗୀଙ୍କ ପାଇଁ ଭଜନର ବ୍ୟବସ୍ଥା କରାଯିବା କଥା ବୋଲି ରୋଗୀ କହୁଥିବା ଶୁଣିବାକୁ ମିଳିଛି । ତେବେ ଏହି ଭଜନ ଚିକିତ୍ସାରେ ଗୀତ ଗାଉଥିବା ବ୍ୟକ୍ତି ମଧ୍ୟ ଜଣକ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗାଁର ଅର୍ଜୁନ ମେହେର । ଅର୍ଜୁନ ଜଣେ ରୋଗୀ ହୋଇଥିବାବେଳେ ପେଶାରେ ପାଲା ଗାୟକ ଓ କିର୍ତ୍ତନ ଗାୟକ ବୋଲି ଜଣାପଡିଛି ।
ତେବେ ଏହି ଚିକିତ୍ସା ପଦ୍ଧତିକୁ ସାଧାରଣରେ ମଧ୍ୟ ସମର୍ଥନ ମିଳିଛି । ଏହା ଦ୍ୱାରା ମାନସିକ ଅବସାଦ ଦୂର ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଏହି ପଦ୍ଧତି ଉପରେ ବିଚାର ବିମର୍ଶ କରିବାର ସମୟ ଆସିଛି ବୋଲି ସାଧାରଣ ଲୋକେ କହିଛନ୍ତି । ଏହା ସହ ହସ୍ପିଟାଲରେ ଭର୍ତ୍ତି ସମୟରେ ଏକଲାପଣ ଏହା ଦ୍ବାରା ଦୂର ହୁଏ ବୋଲି ବୁଦ୍ଧିଜୀବି କହିଛନ୍ତି । ଫଳରେ ଏହାର ଆବଶ୍ୟକତା ବର୍ତ୍ତମାନ ଦିନରେ ଢେର ଓ ଏହା ଇମ୍ୟୁନିଟି ବୁଷ୍ଟର ବୋଲି କହିଛନ୍ତି ।
you can also read…