ଭାରତୀୟ ବାୟୁସେନାରେ ଯୋଡି ହେଲା ନୂଆ ଅଧ୍ୟାୟ, ଏକାଠି ଯୁଦ୍ଧ ବିମାନ ଉଡ଼ାଇ ଇତିହାସ କଲେ ବାପଝିଅ

Published By : Prameya-News7 Bureau | July 06, 2022 IST

ନୂଆଦିଲ୍ଲୀ ୦୬/୦୭: ଭାରତୀୟ ବାୟୁସେନା (ଆଇଏଏଫ୍) ଇତିହାସରେ ଭିନ୍ନ ଏକ ଅଧ୍ୟାୟ ଯୋଡ଼ିଛନ୍ତି ଏୟାର କମୋଡର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ତଥା ଫ୍ଲାଇଙ୍ଗ୍ ଅଫିସର୍ ଅନନ୍ୟା ଶର୍ମା । ଉଭୟ ମିଶି ବାୟୁସେନାର ଏକ ଯୁଦ୍ଧ ବିମାନ ଉଡ଼ାଇଛନ୍ତି । ଦେଶର ପ୍ରଥମ ବାପଝିଅ ଭାବେ ସେମାନେ ଏଭଳି ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି । ବାୟୁସେନାର ଫାଇଟର୍ ପାଇଲଟ୍ ଥିଲେ ସଞ୍ଜୟ ।

ସେତେବେଳୁ ଝିଅ ଅନନ୍ୟା ତାଙ୍କର ପଦାଙ୍କ ଅନୁସରଣ କରିଥିଲେ । ବଡ଼ ହେଲେ ପିତାଙ୍କ ଭଳି ଜଣେ ବାୟୁସେନା ପାଇଲଟ୍ ହେବାକୁ ସ୍ୱପ୍ନ ଦେଖିଥିଲେ । ଶେଷରେ ପିତାଙ୍କର ଫେଲୋ ସ୍କ୍ୱାଡ୍ରନ୍ ପାଇଲଟ୍ ହୋଇ ସ୍ୱପ୍ନ ସାକାର କରିଛନ୍ତି । ୨୦୨୨ ମେ ୩୦ରେ ଇତିହାସ ରଚି ଏୟାରଫୋର୍ସ ଷ୍ଟେସନ ବିଦାରଠାରେ ସେମାନେ ମିଶି ହକ୍-୧୩୨ ଯୁଦ୍ଧ ବିମାନ ଉଡ଼ାଇଥିଲେ ।

ପୂର୍ବରୁ ବାୟୁସେନା ବିମାନକୁ କୌଣସି ବାପଝିଅ ମିଶି ଉଡ଼ାଇ ନ ଥିଲେ । ୨୦୧୬ରେ ଭାରତୀୟ ବାୟୁସେନାରେ ମହିଳା ପାଇଲଟ୍‌କୁ ସାମିଲ ପାଇଁ ନିଷ୍ପତ୍ତି ହେବା ପରେ ନିଜ ଦୀର୍ଘଦିନର ସ୍ୱପ୍ନ ପୂରଣ ପାଇଁ ମନ ବଳାଇଥିଲେ ଅନନ୍ୟା । ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍‌ରେ ବି.ଟେକ୍ ଶେଷ କରିବା ପରେ ସେ ଆଇଏଏଫ୍ ଫ୍ଲାଇଙ୍ଗ୍ ବ୍ରାଞ୍ଚ୍‌ରେ ତାଲିମ ନେବା ପାଇଁ ମନୋନୀତ ହୋଇଥିଲେ ।

୨୦୨୧ ଡିସେମ୍ବରରେ ସେ ଜଣେ ଫାଇଟର୍ ପାଇଲଟ୍ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ପିତା ତଥା ଏୟାର କମୋଡର୍ ସଞ୍ଜୟ ଶର୍ମା ୧୯୮୯ରେ ବାୟୁସେନାର ଫାଇଟର୍ ଷ୍ଟ୍ରିମ୍‌ରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ୨୦୧୬ ଜୁନ୍‌ରେ ଅବନୀ ଚତୁର୍ବେଦୀ, ଭାବନା କାନ୍ତ ଓ ମୋହନା ସିଂହ ଦେଶର ପ୍ରଥମ ମହିଳା ଫାଇଟର୍ ପାଇଲଟ୍ ବନି ଇତିହାସ ରଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.