ଗଠିତ ହେଲା ଟ୍ରସଙ୍କ ନୂଆ ମନ୍ତ୍ରୀମଣ୍ଡଳ, ସୁନକ ଓ ସହଯୋଗୀଙ୍କୁ ମିଳିନି ସ୍ଥାନ

Published By : Prameya-News7 Bureau | September 07, 2022 IST

ଲଣ୍ଡନ ୭।୯: ନବନିଯୁକ୍ତ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ତାଙ୍କ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ଟ୍ରସ୍ ତାଙ୍କ ମନ୍ତ୍ରୀମଣ୍ଡଳ ପାଇଁ ଜନଜାତି ଓ ସଂଖ୍ୟାଲଘୁ ସମୁଦାୟ ସହ ସମ୍ପର୍କିତ ସାଂସଦମାନଙ୍କୁ ସ୍ଥାନ ଦେଇଛନ୍ତି। ଏଥିରେ ଭାରତୀୟ ମୂଳର ସୁଏଲା ବ୍ରେଭରମେନଙ୍କୁ ଗୃହମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ତେବେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଥିବା ଋଷି ସୁନକ ଓ ତାଙ୍କ ସମର୍ଥକମାନଙ୍କୁ ଟ୍ରସ୍‌ଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳି ନାହିଁ।

ଟ୍ରସ୍ ଶୀର୍ଷ ଟିମ୍‌ରେ  ନିଜ ସହଯୋଗୀଙ୍କୁ ନେଇଛନ୍ତି। ଏହି ନୂଆ କ୍ୟାବିନେଟ୍‌ରେ ଭାରତୀୟ ମୂଳର ଆଲୋକ ଶର୍ମାଙ୍କୁ ସାମିଲ କରାଯାଇଛି। ସେ ସିଓପି-୨୬ ଅଧ୍ୟକ୍ଷ ଭାବେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଜାରି ରଖିବେ। ମଙ୍ଗଳବାର ଟ୍ରସ୍ ଶପଥ ପାଠ ପରେ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଦେଇଥିବା ଭାଷଣରେ ଆମ ପାଖରେ ଦକ୍ଷତା, ଶକ୍ତି ଓ ସଂକଳ୍ପର ଭଣ୍ଡାର ରହିଛି ବୋଲି କହିଥିଲେ। ସେ କହିଥିଲେ ଯେ ମୋର ବିଶ୍ୱାସ ଆମେ ଉପୁଜିଥିବା ପରିସ୍ଥିତିରୁ ଖୁବ୍ ଶୀଘ୍ର ବାହାରି ଆସିବା ଓ ଅର୍ଥବ୍ୟସ୍ଥାକୁ ପୁଣି ସୁ ସଂହତ କରିପାରିବା।

ତେବେ ଏହା ପୂର୍ବରୁ କଞ୍ଜରଭେଟିଭ ପାର୍ଟିର ନେତ୍ରୀ ଟ୍ରସ୍ ୯୬ ବର୍ଷ ବୟସ୍କା ରାଣୀ ଏଲିଜା ବେଥଙ୍କୁ ତାଙ୍କ ସ୍କଟଲ୍ୟାଣ୍ଡ ଏବର୍ଡିନସାୟରସ୍ଥିତ ବାଲମୋରଲ କ୍ୟାସଲରେ ଭେଟିଥିଲେ। ସେଠାରେ ରାଣୀ ଏଲିଜାବେଥ୍ ତାଙ୍କୁ ଔପଚାରିକ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ। ଏହା ସହ ଟ୍ରସ ଦେଶର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.