ଗତ ୨୪ ଘଣ୍ଟା ଭିତରେ ଜନ୍ମିତ ବହୁ କନ୍ୟା ସନ୍ତାନଙ୍କ ନାଁ ଏବେ ‘ତିତ୍‌ଲି’ : ଲ୍ୟାଣ୍ଡ୍‌ଫଲ ପାଖାପାଖି ଜନ୍ମ ହେଲେ ଆସିକାରେ ଆଉ ଜଣେ ‘ତିତ୍‌ଲି’

Published By : Prameya-News7 Bureau | October 11, 2018 IST

ଆସିକା ୧୧|୧୦: ରାଜ୍ୟରେ ଗତକାଲି ଏବଂ ଆଜି ଜନ୍ମ ହୋଇଥିବା ଅଧିକାଂଶ ଝିଅକୁ ତାଙ୍କ ପରିବାର ‘ତିତ୍‌ଲି’ ବୋଲି ନାମ କରଣ କରିଥିବା ଖବର ହସ୍ତଗତ ହେଉଛି । ଏହି ସମୟଟିକୁ ସ୍ମରଣ ରଖିବା ପାଇଁ ଏଭଳି ନାମକରଣ କରାଯାଉଛି । ‘ତିତ୍‌ଲି’ ଅନେକ ଭୟ ଓ ଆଶଙ୍କା ସୃଷ୍ଟି କରିଥିଲେ ମଧ୍ୟ କିଛି ଭଲ କଥା ମଧ୍ୟ କରିଛି । ସେହି ଭଲ କଥାଟି ହେଉଛି କନ୍ୟା ସନ୍ତାନଙ୍କ ପ୍ରତି ପରିବାରର ଭଲ ପାଇବା ଆଉ ଶ୍ରଦ୍ଧାରେ ‘ତିତ୍‌ଲି’ ବୋଲି ନାଁ ଦେବା । ରାଜ୍ୟରେ ବାତ୍ୟା ‘ତିତ୍‌ଲି’ର ପ୍ରକୋପ ଚାଲିଥିବା ବେଳେ ଆସିକା ମେଡିକାଲରେ କଳାସୂତା ଗ୍ରାମର ଦିଲ୍ଲୀପ କୁମାର ଗୈ।ଡଙ୍କ ପତ୍ନୀ  ଜନ୍ମ ଦେଇଥିଲେ  ଶିଶୁ କନ୍ୟା  ।  ବାତ୍ୟାର ଭୟଙ୍କର ତାଣ୍ଡବଲୀଳାକୁ ସମ୍ମୁଖୀନ ହୋଇ ରାତି ପ୍ରାୟ ୧୨ଟାରେ ଜନନୀ ସୁରକ୍ଷା ଗାଡିରେ ମେଡିକାଲ ରେ ପହଞ୍ଚିଥିଲେ ଦିଲ୍ଲୀପଙ୍କ ପତ୍ନୀ ।  ରାତି ପ୍ରାୟ ୨ଟା ବେଳେ ଜନ୍ମ ହୋଇଥିଲା ଶିଶୁ କନ୍ୟା । ଶିଶୁକନ୍ୟାକୁ ଖୁସିରେ ଏବଂ  ଏହି ସମୟକୁ ସ୍ମରଣ ରଖିବା ପାଇଁ ‘ତିତ୍‌ଲି’ ବୋଲି ନାଁ ଦେଇଛନ୍ତି ବାପା ଆଉ ମାଆ । ଏତେ ବଡ ଭୟଙ୍କର ବାତ୍ୟା ଲାଗିରହିଥିବା ବେଳେ ଜରୁରୀ କାଳିନ ସେବାକୁ ଦାୟିତ୍ବର ସହ ତୁଲାଇଛନ୍ତି ଆସିକା ମେଡିକାଲର କର୍ମଚାରୀ ଓ ଡାକ୍ତର । ସେହିଭଳି କଳାସୂତା ଗାଁର ଆଶାକର୍ମୀ ମଧ୍ୟ ଭୀଷଣ ବାତ୍ୟା ରାତିରେ ବି ପ୍ରସୂତୀଙ୍କୁ ହସପିଟାଲରେ ପହଂଚାଇବାରେ ଦେଖାଇଥିଲେ ତତ୍ପରତା । ଆସିକା ମେଡିକାଲକୁ ଗତ ରାତିରେ ପ୍ରସବ ପାଇଁ ୯ ଜଣ ଆସିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ କଳାସୂତା ଗ୍ରାମର ଦିଲ୍ଲୀପ ଗୈ।ଡଙ୍କ ପତ୍ନୀଙ୍କ ପ୍ରସବ ହୋଇଥିଲା ଆଉ ସେ ଝିଅ ଜନ୍ମ କରିଥିଲେ । ନବଜାତର ନାଁ ତିତଲି ରଖାଯାଇଥିବାରୁ ଏନେଇ ଆସିକା ମେଡିକାଲ ରେ ମଧ୍ୟ ଖୁସିର ମାହୋଲ ଦେଖାଦେଇଥିବା ଡାକ୍ତର ମୋହନ ବାରିକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.