ନିର୍ବାଚନ କମିଶନ ନିଯୁକ୍ତି ପ୍ୟାନେଲ୍ରେ ରହିବେ ନାହିଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ! ରାଜ୍ୟସଭାରେ ଆଗତ ହେବ ନୂଆ ବିଲ୍
10/08/2023 at 5:07 PM

ନୂଆଦିଲ୍ଲୀ: ନିର୍ବାଚନ କମିଶନ ନିଯୁକ୍ତି ନେଇ ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ରୋକ୍ଠୋକ୍ ରାୟ ଶୁଣାଇବା ପରେ ଶେଷରେ ଆଇନ୍ରେ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର। ଏନେଇ ରାଜ୍ୟସଭାରେ ନୂଆ ବିଲ୍ ଆଗତ ହେବ। ନୂଆ ବିଲ୍ ଅନୁସାରେ, ଇଲେକ୍ସନ୍ କମିଶନ ନିଯୁକ୍ତି ପ୍ୟାନେଲ୍ରେ ରହିବେ ନାହିଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି।
୩ ଜଣିଆ କମିଟି ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେବେ। ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବିରୋଧୀ ଦଳ ନେତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ରହିବେ। ଆଜି(୧୦ ଅଗଷ୍ଟ) ରାଜ୍ୟସଭାରେ ଏହି ବିଲ ଆଗତ ହେବ।
ମାର୍ଚ୍ଚ ମାସରେ ନିର୍ବାଚନ କମିଶନର ନିଯୁକ୍ତି ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସେତେବେଳେ ଜଷ୍ଟିସ କେଏମ୍ ଜୋସେଫ୍ଙ୍କର ୫ ଜଣିଆ ଖଣ୍ଡପୀଠ ମାମଲାରେ ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ ଯେ ନିର୍ବାଚନ କମିଶନ୍ଙ୍କ ସ୍ୱାଧୀନତା ବଜାଇ ରଖିବା ପାଇଁ ପୂର୍ବରୁ ଯେଉଁ ନିୟମ ଥିଲା, ତାହା ବଳବତ୍ତର ରହିବ। ସଂସଦରେ ଏନେଇ ନୂଆ ଆଇନ ନ ଆସିବା ଯାଏ ପୂର୍ବ ପରି ପ୍ରଧାନମନ୍ତ୍ରୀ ଓ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି, ଲୋକସଭା ବିରୋଧୀ ଦଳ ନେତା ହିଁ ନିର୍ବାଚନ କମିଶନ ନିଯୁକ୍ତି ଦେବେ। ପୂର୍ବ ନିୟମ ଅନୁସାରେ ସରକାରଙ୍କର ସୁପାରିଶରେ ରାଷ୍ଟ୍ରପତି ନିର୍ବାଚନ କମିଶନର ନିଯୁକ୍ତି ଦେଉଥିଲେ।
ପଢ଼ନ୍ତୁ-ବିରୋଧୀଙ୍କ ଅନାସ୍ଥା ଉପରେ ଗୃହରେ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ, ମଣିପୁର ପ୍ରସଙ୍ଗରେ ଦେବେ କଡ଼ା ଜବାବ
ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର( ସେବାରେ ନିଯୁକ୍ତ ସର୍ତ ଓ କାର୍ଯ୍ୟକାଳ) ବିଲ୍ ୨୦୨୩ ରାଜ୍ୟସଭାରେ ଆଗତ ହେବାକୁ ତାଲିକାଭୁକ୍ତ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍ ଆଗତ କରିବେ।
ଅନ୍ୟପଟେ କଂଗ୍ରେସ ଏହି ବିଲ୍କୁ ସମାଲୋଚନା କରିଛି। ବରଦସ୍ତି ଇଲେକ୍ସନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ହାତର ଶଖି କଣ୍ଢେଇ କରିବାକୁ ପ୍ରୟାଶ କରାଯାଉଛି ବୋଲି କଂଗ୍ରେସ କହିଛି। ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ କହିଛନ୍ତି “ଗୋଟେ ନିରପେକ୍ଷ ପ୍ୟାନେଲ୍ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର କ’ଣ ହେଲା? କାହିଁକି ଏକ ଏକତରଫା ନିର୍ବାଚନ କମିଶନ ନିଯୁକ୍ତିର ଆବଶ୍ୟକ ମନେ କରୁଛନ୍ତି ପ୍ରଧାନମନ୍ତ୍ରୀ ? ଏହା ମନମୁଖୀ, ଅସାମ୍ବିଧାନିକ ଓ ଅନୁଚିତ ବିଲ୍। ପ୍ରତ୍ୟେକ ସ୍ଥାନରେ ଆମେ ଏହାକୁ ବିରୋଧ କରିବୁ।”
ସେହିପରି ଜିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମଧ୍ୟ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଦେଶର ଗଣତନ୍ତ୍ରକୁ ଦୁର୍ବଳ କରିଦେଉଛନ୍ତି ବୋଲି ଆପ୍ କହିଛି।
ପଢ଼ନ୍ତୁ-ଯେଉଁଠି ରାଜା ଅନ୍ଧ…ସେଠି ଦ୍ରୌପଦୀଙ୍କ ହେଉଛି ବସ୍ତ୍ରହରଣ; ସରକାରଙ୍କୁ ଅଧୀର ରଞ୍ଜନଙ୍କ ଟାର୍ଗେଟ୍