ସେବି ମୁଖ୍ୟ ମାଧବୀ ବୁଚ ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ କଂଗ୍ରେସର ନୂଆ ଅଭିଯୋଗ, ମହିନ୍ଦ୍ରା ଗ୍ରୁପ୍‌ର ସ୍ପଷ୍ଟୀକରଣ

Published By : Prameya-News7 Bureau | September 10, 2024 IST

ନୂଆଦିଲ୍ଲୀ: ମଙ୍ଗଳବାର କଂଗ୍ରେସ, ସେବି ମୁଖ୍ୟ ମାଧବୀ ପୁରୀ ବୁଚଙ୍କୁ ନେଇ ନୂଆ ଅଭିଯୋଗ ଆଣିଛି।  କଂଗ୍ରେସ କହିଛି, ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ‘ଅଗୋରା ଆଡଭାଇଜରୀ ପ୍ରାଇଭେଟ ଲିମିଟେଡ’ ନାମକ ଏକ ଆଡଭାଇଜରୀ କମ୍ପାନି ଜରିଆରେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଠାରୁ କୋଟି କୋଟି ଟଙ୍କା ଆୟ କରିଛି।ଆଉ ଏହି ଟଙ୍କାର ଉତ୍ସ ସନ୍ଦିଗ୍ଧ। 

ପ୍ରକୃତରେ କଂଗ୍ରେସ ଏହି ନୂଆ ଅଭିଯୋଗ ଆଣି କହିଛି ଯେ, ସେବି ମୁଖ୍ୟ ମାଧବୀ ବୁଚ ଏବଂ ତାଙ୍କ ସ୍ବାମୀ ଧବଲ ବୁଚ ‘ଆଗୋରା ଆଡଭାଇଜରୀ’ ମାଧ୍ୟମରେ କିଛି ଲିଷ୍ଟେଡ କମ୍ପାନିଙ୍କ ଠାରୁ ଲାଭ ଉଠାଇଛନ୍ତି। ଏହି ଲାଭ ବିଶେଷ କରି ସେହି ସମୟରେ ମିଳିଛି ଯେତେବେଳେ, ସେବି ମୁଖ୍ୟଙ୍କ ପାଖରେ ଆଡଭାଇଜାରୀ କମ୍ପାନିରେ ୯୯ ପ୍ରତିଶତ ଶେୟାର ରହିଥିଲା । ଆଉ ତାଙ୍କୁ ସବୁଠାରୁ ଅଧିକ ଲାଭ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଠାରୁ ଲାଭ ମିଳିଛି। 

କଂଗ୍ରେସ ନେତା ପଓ୍ବନ ଖେଡ଼ା ଆହୁରି କହିଥିଲେ ମାଧବୀ ସବୁ ନିୟମ ଭାଙ୍ଗିଛନ୍ତି। ମାଧବୀ, ଅଗୋରା ଦ୍ବାରା ୨ କୋଟି ୯୫ ଲକ୍ଷ ଟଙ୍କା ଆୟ କରିଛନ୍ତି ଏଥିରେ ସବୁଠୁ ଅଧିକ ୮୮ ପ୍ରତିଶତ ଟଙ୍କା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାରୁ ଆସିଛି। ସେହିଭଳି ମାଧବୀ ପୁରୀଙ୍କ ସ୍ବାମୀ ଧବଲ ବୁଚଙ୍କୁ ୨୦୧୯-୨୧ ମଧ୍ୟରେ ଏମ୍‌ ଆଣ୍ଡ୍‌ ଏମ୍‌ରୁ ୪ କୋଟି ୭୮ ଲକ୍ଷ ଟଙ୍କା ମିଳିଛି। ଆଉ ଏତେ ଟଙ୍କା ମିଳିବାର କାରଣ ସେତେବେଳେ ମାଧବୀ ପୁରୀ ବୁଚ ସେବିରେ ପୂର୍ଣ୍ଣକାଳୀନ ସଦସ୍ୟ ଥିଲେ। ଆଉ ନିୟମର ଉଲ୍ଲଘଂନ କରି ଏମ ଆଣ୍ଡ୍‌ ଏମକୁ ଅନେକ ଅର୍ଡର ବାହାର କରିଥିଲେ। ଏଥିପାଇଁ ହିଁ ତାଙ୍କୁ ଏତେ ଟଙ୍କା ମିଳିଥିଲା। ସେତେବେଳେହିଁ ଅଗୋରା ଏମ୍‌ ଆଣ୍ଡ୍‌ ଏମ୍‌ ଗ୍ରୁପ୍‌କୁ ଆଡଭାଇଜରୀ ସେବା ଯୋଗାଉଥିଲା।

ତେବେ ଏହି ଅଭିଯୋଗକୁ ଏବେ ଖଣ୍ଡନ କରିଛି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା। କମ୍ପାନି କହିଛି ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ ଏବଂ ତାଙ୍କ ସ୍ବାମୀ ଧବଲ ବୁଚଙ୍କୁ ହୋଇଥିବା ପେମେଣ୍ଟ ଅଭିଯୋଗ ମିଥ୍ୟା ଏବଂ ବିଭ୍ରାନ୍ତକର।  ସେୟାର ବଜାରକୁ ଦେଇଥିବା ସୂଚନା ଅନୁଯାୟୀ, ଧବଲ ବୁଚଙ୍କୁ ତାଙ୍କର ସପ୍ଲାଏ ଚେନ୍‌କୁ ନେଇ ରହିଥିବା ବିଶେଷଜ୍ଞତା ଏବଂ ପରିଚାଳନା କୌଶଳ ପାଇଁ ତାଙ୍କୁ ପେମେଣ୍ଟ କରାଯାଇଥିଲା। ଏହା କୌଣସି ପ୍ରକାର ଅବୈଧ ଅର୍ଥ ନଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.