ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ: ତୁଳସୀ ପୂଜା ସମୟରେ କରନ୍ତୁନି ଏହିସବୁ ଭୁଲ୍
2/11/2020 at 4:35 PM

ଭୁବନେଶ୍ୱର ୦୨/୧୧ : ଶରତ ପୂର୍ଣ୍ଣିମା ପରେ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୧ ତାରିଖ ରବିବାର ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଛି। କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମରେ ଧାର୍ମିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଜଳରେ ବାସ କରନ୍ତି। ସେଥିପାଇଁ ମାସ ସାରା ସକାଳୁ ସ୍ନାନ କରି ଭଗବାନଙ୍କ ପୂଜା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ଗୁରୁତ୍ତ୍ଵ ରହିଛି। ମାସ ସାରା ତୁଳସୀ ଗଛ ମୂଳରେ ଦୀପ ଜାଳି ପୂଜାର୍ଚ୍ଚନା କରାଯାଏ।
ତୁଳସୀ ପୂଜା କଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ପୁଣ୍ୟ ପ୍ରାପ୍ତି ପାଇଁ ସୂର୍ଯ୍ୟଦୟ ପୂର୍ବରୁ ସ୍ନାନ କରିବା ଆବଶ୍ୟକ। କାର୍ତ୍ତିକ ମାସରେ ତୁଳସୀ ବିବାହ ଆୟୋଜନ ମଧ୍ୟ କରାଯାଏ। ତୁଳସୀ ବିବାହ କଲେ ପୁଣ୍ୟଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ତୁଳସୀ ବିବାହ କଲେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଏହି ମାସରେ ନାନା ଫୁଲରେ ତୁଳସୀ ଚଉଁରାକୁ ସୁସଜ୍ଜିତ କରାଯାଇଥାଏ। ତୁଳସୀ ଚଉଁରା ମୂଳରେ ଝୋଟି ମଧ୍ୟ କରାଯାଏ। ତେବେ ତୁଳସୀ ପୂଜା ପୂର୍ବରୁ କିଛି ନିୟମ ଜାଣିରଖିବା ଆବଶ୍ୟକ।
ଅଗାଧୁଆ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ। ସନ୍ଧ୍ୟା ସମୟରେ ଭୁଲରେ ବି ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ। ପୂର୍ଣ୍ଣିମା, ଅମାବାସ୍ୟା, ଦ୍ୱାଦଶୀ, ରବିବାର ଓ ସଂକ୍ରାନ୍ତି ଦିନ ଅପରାହ୍ନରେ ଓ ସନ୍ଧ୍ୟା ସମୟ ମଧ୍ୟରେ ଓ ରାତିରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ।
କାହାର ଜନ୍ମ ସମୟରେ ଏବଂ ମୃତ୍ୟୁ ସମୟରେ ଘରେ ସୂତକ ଲାଗିଥାଏ। ଏହି ସମୟରେ ତୁଳସୀ ଗଛକୁ ଛୁଇଁବା ବାରଣ ଏବଂ ଏହି ସମୟରେ ତୁଳସୀ ଗ୍ରହଣ ମଧ୍ୟ କରାଯାଇନାହିଁ। କାରଣ ତୁଳସୀ ଶ୍ରୀହରିଙ୍କ ସ୍ୱରୂପ ବୋଲି ବିଶ୍ୱାସ ରହିଛି। ତୁଳସୀ ପତ୍ର ଦାନ୍ତରେ ଚୋବେଇ ଖାଇବା ଉଚିତ ନୁହେଁ।