ଏହିଭଳି ମେସେଜ ପ୍ରତି କ୍ରେଡିଟ୍ କାର୍ଡ ଧାରୀ ସାବଧାନ, ଆକାଉଣ୍ଟରୁ ଗାଏବ ହୋଇପାରେ ଟଙ୍କା..
20/08/2019 at 4:06 PM

ନୂଆଦିଲ୍ଲୀ୨୦|୯: ଡିଜିଟାଲ ଯୁଗରେ କ୍ୟାସଲେସ ଟ୍ରାଂଜକସନକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ସେଥିପାଇଁ ଏବେ ଅଧିଂକାଶ ଲୋକ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି । ଏବେ କ୍ରେଡିଟ୍ କାର୍ଡ ସଂପର୍କରେ ଫେକ୍ ମେସେଜ ପଠାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ସେଥିପାଇଁ ସତର୍କ ରହିବା ଜରୁରୀ । ଯଦି ଆପଣ କ୍ରେଡିଟ୍ କାର୍ଡର ପଏଣ୍ଟସ ରେଡିମ କରିବା ପାଇଁ ମେସେଜ ଆସୁଥାଏ ତେବେ ସାବଧାନ ହୋଇଯାଆନ୍ତୁ।
ଏହିଭଳି ଫେକ୍ ମେସେଜ ପଠାଇ କ୍ରେଡିଟ୍ କାର୍ଡଧାରୀଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ କରାଯାଉଛି।ଫେକ୍ ମେସେଜ ପଠାଇ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଥିବା ଜଣେ ୩୨ ବର୍ଷ ବୟସ୍କ ଯୁବକକୁ ପୋଲିସ ଗରିଫ କରିଛି। ଯୁବକ ଜଣକ ସାଙ୍ଗମାନଙ୍କ ସହ ମିଶି କ୍ରେଡିଟ୍ କାର୍ଡ ହୋଲଡରଙ୍କୁ ଫେକ୍ ମେସେଜ ପଠାଇ ଆକାଉଣ୍ଟରୁ ଟଙ୍କା ଗାଏବ କରୁଥିଲା। ଲୋକଙ୍କୁ ଚୂନକାଳି ମାରୁଥିବା ଯୁବକ ଜଣକ ନାଁ ହେଉଛି ବିକାଶ।
ଅବିନାଶ, ଅରୁଣ କୁମାର ଓ ଦୁଇ ଜଣ ସିମ୍ କାର୍ଡ ଭେଣ୍ଡର୍ସଙ୍କ ସହ ମିଶି ବିକାଶ କ୍ରେଡିଟ୍ କାର୍ଡ ହୋଲଡରଙ୍କ ପାଖକୁ ଫେକ୍ ମେସେଜ ପଠାଇ ବ୍ୟାଙ୍କର ଡିଟେଲସ୍ ଆଦାୟ କରୁଥିଲା। ଟେକ୍ସଟ ମେସେଜ ପ୍ରସ୍ତୁତ କରି କ୍ରେଡିଟ୍ କାର୍ଡ ହୋଲଡରଙ୍କୁ ଏମାନେ ପଠାଉଥିଲେ। ଆପଣ କ୍ରେଡିଟ୍ କାର୍ଡରେ ରିଓ୍ବାର୍ଡ ପଏଣ୍ଟସ ଅଧିକ ହୋଇଗଲାଣି।ତେଣୁ ରିଓ୍ବାର୍ଡ ପଏଣ୍ଟସକୁ ରିଡିମ କରି କ୍ୟାସବ୍ୟାକ ଅଫରସ୍ ଓ ଡିସକାଉଣ୍ଟ୍ ପାଇ ପାରିବେ ବୋଲି ମେସେଜ କରୁଥିଲେ ଏମାନେ। ଏହା ବ୍ୟତୀତ ଫେକ୍ ମେସେଜରେ ଏକ ଲିଙ୍କ୍ ଦିଆଯାଉଥିଲା।ଆପଣଙ୍କ ରିଓ୍ବାର୍ଡ ପଏଣ୍ଟସ୍ ଶୀଘ୍ର ଶେଷ ହୋଇଯିବ ତେଣୁ ଏହି ଅଫର୍ସର ଫାଇଦା ଉଠାଇବା ପାଇଁ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଲିଙ୍କ୍ ଉପରେ କ୍ଲିକ୍ କରିବା ପରେ ଏକ ଫର୍ମ ପୂରଣ କରିବା ପାଇଁ ଅପ୍ସନ ଆସିଥାଏ।
ପୋଲିସର କହିବାନୁଯାୟୀ, ଲିଙ୍କ୍ ଉପରେ କ୍ଲିକ୍ କରିବା ପରେ ଏକ ଫେକ୍ ଓ୍ବେବସାଇଟ୍ kotekcardredeem.com ସାମ୍ନାକୁ ଆସିଥାଏ। ଏହି ଓ୍ବେବସାଇଟ୍ରେ ନାଁ, ଇ-ମେଲ ଆଇଡି, ପାସଓ୍ବାର୍ଡ, ମୋବାଇଲ ନମ୍ବର, କାର୍ଡର ଡିଟେଲ୍ସ ଓ ୩ ଡିଜିଟ୍ ସିଭିଭି ନମ୍ବର ଦେବାକୁ କୁହାଯାଇଥାଏ। ଗୋପନୀୟ ତଥ୍ୟ ଦେବା ଦ୍ବାରା ଆପଣ ଠକାମିର ଶିକାର ହୋଇଥାନ୍ତି। ସବୁ ତଥ୍ୟ ନେବାପରେ ଷଡଯନ୍ତ୍ରକାରୀ ଟ୍ରାଂଜାକ୍ସନ କରିଥାନ୍ତି। ଟ୍ରାଂଜାକ୍ସନ କରିବା ସମୟରେ ଓଟିପି ନମ୍ବର ଇମେଲ ଆଇଡିକୁ ଆସିଥାଏ। ସେମାନଙ୍କ ପାଖରେ ଯେହେତୁ ସବୁ ତଥ୍ୟ ଥାଏ ଏହାକୁ ମଧ୍ୟ ସହଜରେ ହାସଲ କରିନିଅନ୍ତି ଦଲାଲ ।
ଫେକ୍ ମେସେଜ ପଠାଉଥିବା ଦୁର୍ବୃତ୍ତଙ୍କ ଆଡ଼ା ଉପରେ ପୋଲିସ ଚଢ଼ାଉକରି ୯ ଲକ୍ଷ ୫୦ ହଜାର ଟଙ୍କା, ୯ଟି ମୋବାଇଲ ଫୋନ, ଗୋଟେ ଲ୍ୟାପଟପ ଓ ୪୦ଟି ସିମ୍ କାର୍ଡ ଜବତ କରିଛି।