ନୂଆଦିଲ୍ଲୀ: ଇସ୍ରାଏଲ୍-ଲେବାନନ୍ ମଧ୍ୟରେ ଯୁଦ୍ଧ ବିରାମ ଫେଲ୍ । ଯୁଦ୍ଧ ରୋକିବାକୁ ଚାହୁଁଥିବା ଆମେରିକା ଓ ଫ୍ରାନ୍ସର ସବୁ ଉଦ୍ୟମ ପଣ୍ଡ ହୋଇଛି । ଯୁଦ୍ଧବିରତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଇସ୍ରାଏଲ । ଏହାଛଡ଼ା ଲେବାନନ୍ରେ ଥିବା ହିଜବୁଲ୍ଲା ସଂଗଠନ ଉପରେ ପ୍ରଚଣ୍ଡ ପ୍ରହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ବେଞ୍ଜାମିନ୍ ନେତନ୍ୟାହୁ ଯୁଦ୍ଧ ରୋକିବାକୁ ରୋକ୍ଠୋକ୍ ମନା କରି ଦେଇଛନ୍ତି । ହିଜ୍ବୁଲ୍ଲାକୁ ସମ୍ପୂର୍ଣ୍ଣ ନିପାତ ନକରିବା ଯାଏ ସଙ୍ଘର୍ଷ ଜାରି ରହିବ ବୋଲି ସେ କହିଛନ୍ତି ।
ଦେଶର ସ୍ଥଳସେନାକୁ ଦକ୍ଷିଣ ଲେବାନନ୍ରେ ପଶି ଗ୍ରାଉଣ୍ଡ ଅପରେସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏଣିକି ସମସ୍ତ ବଳ ଖଟାଇ ସେନା ଲେବାନନ୍ରେ ଯୁଦ୍ଧ ଜାରି ରଖିବ । ଗାଜାରେ ଯେପରି ଇସ୍ରାଏଲୀ ସେନା ପଶି ଧ୍ୱଂସଲୀଳା ରଚିଥିଲେ, ଠିକ୍ ସେହିପରି ଯୁଦ୍ଧ ଲେବାନନ୍ରେ ଦେଖିବାକୁ ମିଳିବ । ଇସ୍ରାଏଲ୍ର ବିଦେଶ ମନ୍ତ୍ରୀ ଇସ୍ରାଏଲ୍ କାଟ୍ଜ ଗୁରୁବାର ଆମେରିକା ଓ ଫ୍ରାନ୍ସର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ସୋସିଆଲ୍ ଭିଡିଓ କନଫରେନ୍ସ କରି କହିଛନ୍ତି, ଉତ୍ତର ଭାଗରେ ଯୁଦ୍ଧବିରତିର ପ୍ରଶ୍ନ ଉଠୁନାହିଁ । ହିଜ୍ବୁଲ୍ଲା ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଆମର ଯୁଦ୍ଧ ଜାରି ରହିବ । ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ ନ ହେବା ଯାଏ ଇସ୍ରାଏଲ ସମସ୍ତ ବଳ ଲଗାଇ ଆକ୍ରମଣ କରିବ ବୋଲି ସେ କହିଛନ୍ତି ।
‘ୱିଙ୍ଗ୍ ଅଫ୍ ଜିଅନ୍’ ବିମାନରେ ବୈଠକ କରି ନେତନ୍ୟାହୁ ସେନାକୁ ପ୍ରଚଣ୍ଡ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ । ନେତନ୍ୟାହୁଙ୍କ ନିର୍ଦ୍ଦେଶ ମିଳିବା କ୍ଷଣି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ବୁଧବାର ରାତିତମାମ ଲେବାନନ୍ର ବେକା ଉପତ୍ୟକା ଓ ଦକ୍ଷିଣ ଲେବାନନ୍ରେ ଥିବା ହିଜ୍ବୁଲ୍ଲାର ୭୫ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହାଯୋଗୁ ବିପୁଳ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଯାଇଛି । ଲେବାନନ୍ର ୟୁନାଇନ୍ ସହରରେ ବୁଧବାର ରାତିରେ ଇସ୍ରାଏଲ୍ ଏକ ୩ ମହଲା ଅଟ୍ଟାଳିକା ଉପରେ ମିସାଇଲ୍ ମାଡ଼ କରିବାରୁ ୨୩ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ରହିଛନ୍ତି ।
ଏହାଛଡ଼ା ହିଜ୍ବୁଲ୍ଲାର ଆଉ ଜଣେ କମାଣ୍ଡର ମହମ୍ମଦ ହୁସେନ୍ ସରୁର ଗୁରୁବାର ବିରୁଟ୍ରେ ନିପାତ ହୋଇଥିବା ଇସ୍ରାଏଲ୍ ସେନା ଦାବି କରିଛି । ମହମ୍ମଦ ସରୁର୍ ହିଜ୍ବୁଲ୍ଲାର ଡ୍ରୋନ୍ ୟୁନିଟ୍ ମୁଖ୍ୟ ଥିଲା । ସେପଟେ ହିଜ୍ବୁଲ୍ଲା ପକ୍ଷରୁ ମଧ୍ୟ ଇସ୍ରାଏଲ୍ ଉପରେ ଆକ୍ରମଣ ଜାରି ରହିଛି । ସଦ୍ୟ ଘଟଣାରେ ଏହା ଇସ୍ରାଏଲ୍ର ରାଫେଲ୍ ଫ୍ୟାକ୍ଟ୍ରି ଉପରେ ୪୫ ରକେଟ୍ ମାଡ଼ କରିଥିଲା । ପଶ୍ଚିମ ଗାଲିଲି ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା । ଏହି ହମ୍ଲା ପରେ ଇସ୍ରାଏଲ୍ ସେନା ଆଲର୍ଟ ହୋଇଯାଇ ରକେଟ୍ଗୁଡ଼ିକୁ ଗତିରୋଧ କରି ଖୋଲା ଅଞ୍ଚଳରେ ଖସାଇ ଦେଇଥିଲା । ତେବେ ଇସ୍ରାଏଲ୍ର ରାଫେଲ୍ ଫ୍ୟାକ୍ଟ୍ରି ଧ୍ୱଂସ ହୋଇଯାଇଥିବା ହିଜ୍ବୁଲ୍ଲା ଦାବି କରିଛି । ୩ ଦିନରେ ଏହା ୩ଟି ବଡ଼ ଆକ୍ରମଣ କରିଥିବା କହିଛି । ଏହା ପୂର୍ବରୁ ନ୍ୟୁୟର୍କରେ ବୁଧବାର ଜାତିସଂଘ ସାଧାରଣ ପରିଷଦ ସଭାରେ ଇସ୍ରାଏଲ୍-ଲେବାନନ୍ ଯୁଦ୍ଧକୁ ରୋକିବା ପ୍ରସଙ୍ଗରେ ଜରୁରିକାଳୀନ ବୈଠକ ଡକାଯାଇଥିଲା । ଏଥିରେ ଆମେରିକା ଓ ଫ୍ରାନ୍ସ ୨୧ ଦିନିଆ ଯୁଦ୍ଧବିରତି ପାଇଁ ଦାବି କରିଥିଲେ ।