ଓଡିଶାରେ କାରଖାନା ସ୍ଥାପନ କରିବ ନେସ୍ଲେ ଇଣ୍ଡିଆ, ୮୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ମିଳିବ ରୋଜଗାର
12/07/2023 at 4:45 PM

ଭୁବନେଶ୍ୱର ୧୨।୭: ଶିଳ୍ପ ମାଧ୍ୟମରେ ନିଯୁକ୍ତିକୁ ଜୋର ଦେଇ ଆସୁଛନ୍ତି ଓଡ଼ିଶା ସରକାର । ଏହି କ୍ରମରେ ଗତ ସୋମବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ୧୧୯ ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷଙ୍କ ବୈଠକରେ ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ଏହା ମାଧ୍ୟମରେ ରାଜ୍ୟକୁ ପ୍ରାୟ ୩୨୬୬ କୋଟି ଟଙ୍କାର ନିବେଶ ଆସିବ ଏବଂ ୯,୧୪୬ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ।
ମଞ୍ଜୁରି ପାଇଥିବା ପ୍ରକଳ୍ପଗୁଡ଼ିକ ଧାତବ ଡାଉନ୍ଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ଶିଳ୍ପ, ରସାୟନ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ୍, ବୟନ, ଆଇଟି ଏବଂ ଇଏସ୍ଡିଏମ୍ ଓ ଅକ୍ଷୟ ଶକ୍ତି ଆଦି ଶିଳ୍ପ କ୍ଷେତ୍ର ସମ୍ବନ୍ଧୀୟ । ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଏବଂ ଯାଜପୁର ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟ କରିବ । ଅନୁମୋଦନ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ନେସ୍ଲେ ଇଣ୍ଡିଆର ଏକ ପ୍ରକଳ୍ପ ରହିଛି । କମ୍ପାନି ଖୋର୍ଦ୍ଧାରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ବସାଇବ । ଏଥିରେ ଏହା ୮୯୪ କୋଟି ଟଙ୍କା ନିବେଶ କରିବ । ଏହା ମାଧ୍ୟମରେ ୮୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ରୋଜଗାର ମିଳିବ ।
ବୟନ ଶିଳ୍ପ କ୍ଷେତ୍ରରେ କଲର୍ଟୋନ୍ ଗାର୍ମେଣ୍ଟ୍ସର ଏକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହା ଫାଷ୍ଟ ଷ୍ଟେପ୍ ବେବି ୱେର୍ର ସହଯୋଗୀ ସଂସ୍ଥା । କମ୍ପାନି ଖୋର୍ଦ୍ଧାରେ ୨୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ନିବେଶରେ ଏକ ସମନ୍ୱିତ ପୋଷାକ ଉତ୍ପାଦନ ୟୁନିଟ୍ କରିବ । ଏହା ଜରିଆରେ ରାଜ୍ୟର ୪,୮୨୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ରସାୟନ କ୍ଷେତ୍ରରେ ହିମାଦ୍ରି ସ୍ପେସିଆଲିଟି କେମିକାଲ ଲିମିଟେଡ୍ର ଏକ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । କମ୍ପାନି ଯାଜପୁରରେ ୯୮୦ କୋଟି ଟଙ୍କା ନିବେଶରେ ଓଡ଼ିଶାରେ ଏହାର ପ୍ରଥମ କେମିକାଲ ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରିବ । ସେହିଭଳି ଆଇଡିଭିବି ରିସାଇକ୍ଲିଂ ଅପରେଶନ୍ସ, ପୁର୍ଭ ପ୍ୟାକେଜିଂ, ଆର୍ଡିବି ରସାୟନ୍ସ, ଆଇଏଫ୍ଜିଏଲ୍ ରିଫ୍ରାକ୍ଟୋରିଜ୍, ବିକେ ଉତ୍କଳ ଷ୍ଟିଲ୍, ନିସମ୍ କନ୍ସଲ୍ଟିଂ, ଆର୍ଡେଣ୍ଟ ଷ୍ଟିଲ୍, ଏନ୍ଆର୍ଟିଆର୍ ଗ୍ରୀନ୍ ଫୁଏଲ୍ ଆଣ୍ଡ୍ ଏନର୍ଜି ଆଦି କମ୍ପାନିଗୁଡ଼ିକର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି ।
You Can Read :