ମାତ୍ର ୮ ରନରେ ଅଲଆଉଟ୍ ହୋଇଗଲା ନେପାଳ ମହିଳା ଟିମ୍, ୭ ବଲରେ ମ୍ୟାଚ୍ ଜିତିଗଲା ୟୁଏଇ

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ ୦୫/୦୬: ଅନସର୍ଟନିଟିର ଗେମ୍ କ୍ରିକେଟ୍ । କେତେବେଳେ ଦିନିକିଆରେ ସ୍କୋର ୪୦୦ ଟପେ । ଆଉ କେତେବେଳେ ବହୁତ କମ୍ ସ୍କୋରରେ ଟିମ୍ ଅଲଆଉଟ୍ ହେବାର ନଜିର ରହିଛି । ତେବେ ନେପାଳର ଅଣ୍ଡର-୧୯ ମହିଳା ଟିମ୍ ଏକ ଅଲୋଡା ରେକର୍ଡ ପ୍ରତିଷ୍ଠା କରିଛି । ଦଳ ମାତ୍ର ୮ ରନରେ ଅଲଆଉଟ୍ ହୋଇଯାଇଥିଲା । ବିପକ୍ଷ ଟିମ୍ ମାତ୍ର ୭ ବଲରେ ଏହି ମୁକାବିଲାକୁ ଜିତି ନେଇଥିଲା ।

ସୂଚନାନୁସାରେ, ଅଣ୍ଡର-୧୯ ମହିଳା ବିଶ୍ୱକପର ଏସିଆ କ୍ୱାଲିଫାୟାରରେ ନେପାଲ ଓ ୟୁଏଇ ମଧ୍ୟରେ ମୁକାବିଲା ଖେଳାଯାଉଥିଲା । ବାଙ୍ଗୀରେ ହେଉଥିବା ଏହି ମ୍ୟାଚରେ ପ୍ରଥମେ ନେପାଳ ବ୍ୟାଟିଂ କରିଥିଲା । କିନ୍ତୁ ଦଳ ପାଇଁ ଏହି ନିଷ୍ପତ୍ତି ବୁମେରାଂ ପାଲଟିଥିଲା ।

ନେପାଳ ତରଫରୁ ସ୍ନେହା ମହାରା ମାତ୍ର ୩ ରନ୍ କରିଥିଲେ । ସେ ୧୦ଟି ବଲ ଖେଳିପାରିଥିଲେ । ୬ ଜଣ ବ୍ୟାଟର ବିନା କୌଣସି ରନରେ ଆଉଟ୍ ହୋଇଥିଲେ । ୟୁଏଇ ତରଫରୁ ମାହିକା ଗୋର୍ ୪ ଓଭରରେ ୫ ଓ୍ୱିକେଟ୍ ନେଇଥିଲେ । ସେ ଦୁଇ ଓଭର ମେଡେନ୍ ପକାଇଥିଲେ । 

ମାହିକାଙ୍କ ବ୍ୟତୀତ ଇନ୍ଦୁଜା କୁମାର ୬ ରନ୍ ଦେଇ ୩ ଓ୍ୱିକେଟ୍ ନେଇଥିଲେ । ସମାୟାରାଙ୍କୁ ଗୋଟିଏ ଓ୍ୱିକେଟ୍ ମିଳିଥିଲା । ସେ କେବଳ ଗୋଟିଏ ବଲ ପକାଇ ଏହି ସଫଳତା ପାଇଥିଲେ । ଏପରି ଭାବେ ନେପାଳ ଟିମ୍ ୮ ଓଭରରେ ୮ ରନ କରି ଅଲଆଉଟ୍ ହୋଇଯାଇଥିଲା ।

ଜବାବରେ ୟୁଏଇ ମାତ୍ର ୭ ବଲରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ୧୧୩ ରନ ବଳକା ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଏହାସହ ଦଳର କୌଣସି ଓ୍ୱିକେଟ୍ ଯାଇନଥିଲା ।

ଯଦି ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ କେଉଁ ଦଳ କମ୍ ସ୍କୋର କରିଥାଏ ତାହା ତୁର୍କୀ ନାଁରେ ରହିଛି । ତୁର୍କୀ ପୁରୁଷ ଟିମ୍ ଚେକ୍ ରିପବ୍ଲିକ୍ ବିପକ୍ଷରେ ମାତ୍ର ୨୧ ରନରେ ଅଲଆଉଟ୍ ହୋଇଯାଇଥିଲା । ୨୦୧୯ ଅଗଷ୍ଟ 30ରେ ଏହି ମୁକାବିଲା ଖେଳାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.