ସୁପ୍ରିମକୋର୍ଟ ଦ୍ୱାରା ବରଖାସ୍ତ ହେଲେ ନେପାଳ ଉପ ପ୍ରଧାନମନ୍ତ୍ରୀ ରବି ଲାମିଛାନେ, ହାତରୁ ଗଲା ଗୃହମନ୍ତ୍ରାଳୟ ଓ ପାର୍ଟି ଅଧ୍ୟକ୍ଷ ପଦ
27/01/2023 at 7:20 PM

କାଠମାଣ୍ଡୁ ୨୭।୧: ନେପାଳ ସୁପ୍ରିମକୋର୍ଟ ଶୁକ୍ରବାର ଉପ ପ୍ରଧାନମନ୍ତ୍ରୀ ରବି ଲାମିଛାନେଙ୍କୁ ତାଙ୍କ ପଦରୁ ବରଖାସ୍ତ କରିଛନ୍ତି। ଶୀର୍ଷ ନ୍ୟାୟାଳୟଙ୍କ ଏକ ସାମ୍ବିଧାନିକ ପୀଠ ତାଙ୍କୁ ନାଗରିକ ଓ ପାସପୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଣୁ ଲାମିଛାନେଙ୍କ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଯାଇଛି। ଅର୍ଥାତ ତାଙ୍କୁ ଏବେ ମନ୍ତ୍ରୀ, ସାଂସଦ ଓ ପାର୍ଟି ଅଧ୍ୟକ୍ଷ ପଦରୁ ହଟିବାକୁ ପଡିବ। ସେହିପରି ଏବେଠାରୁ ଲାମିଛାନେ ନେପାଳ ନାଗରିକ ଭାବେ କରିଥିବା ସମସ୍ତ କାର୍ଯ୍ୟ ଅବୈଧ ହେବ।
ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଅଧ୍ୟକ୍ଷ ରବି ଲାମିଛାନେ ୨୦୨୨ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଉପ ପ୍ରଧାନମନ୍ତ୍ରୀ ଓ ଗୃହ ବ୍ୟାପାର ମନ୍ତ୍ରୀ ହୋଇଥିଲେ। ତେବେ ନେପାଳ ସୁପ୍ରିମକୋର୍ଟ ତାଙ୍କୁ ସବୁ ସାମ୍ବିଧାନିକ ପଦପଦବୀରୁ ବରଖାସ୍ତ କରିଦେଇଛନ୍ତି। ତାଙ୍କ ନାଗରିକତା କୋର୍ଟରେ ଅବୈଧ ସାବ୍ୟସ୍ତ ହୋଇଛି। ସୁପ୍ରିମକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିକୃଷ୍ଣ କାର୍କିଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ବିଶ୍ୱମ୍ଭର ପ୍ରସାଦ ଶ୍ରେଷ୍ଠ, ଜଷ୍ଟିସ୍ ଈଶ୍ୱର ପ୍ରସାଦ ଖାତିୱାଡା, ଜଷ୍ଟିସ୍ ଡ. ଆନନ୍ଦ ମୋହନ ଭଟ୍ଟରାଇ ଓ ଜଷ୍ଟିସ୍ ଅନିଲ କୁମାର ସିହ୍ନାଙ୍କ ସାମ୍ବିଧାନିକ ପୀଠ ଏହି ରାୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଓକିଲ ରବି ରାଜ ବସୌଲା, ୟୁବା ରାଜ ପୋଡେଲ ଓ ଅନ୍ୟମାନେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ଲାମିଛାନେଙ୍କୁ ପ୍ରତିନିଧି ସଭାକୁ ନିର୍ବାଚିତ ସଦସ୍ୟ ଭାବେ ଯୋଗ୍ୟତାକୁ ଚାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ରିଟ୍ ପିଟିସନ ଦାୟର କରିଥିଲେ। ଆବେଦନକାରୀ ମାନେ ଲାମିଛାନେଙ୍କ ସାଂସଦ ପଦକୁ ରଦ୍ଦ କରିବା ପାଇଁ ଦାବି କରି ତର୍କ ରଖିଥିଲେ ଯେ ନେପାଳ ନାଗରିକତା ନ ପାଇ ମଧ୍ୟ ଦେଶରେ ଏକ ରାଜନୈତିକ ପାର୍ଟି ଆରମ୍ଭ କରି ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଛନ୍ତି।
ଆବେଦନରେ ଲାମିଛାନେ ଆମେରିକା ନାଗରିକତା ଛାଡିବା ପରେ ନେପାଳ ନାଗରିକତା ଗ୍ରହଣ କରିନାହାନ୍ତି। ଏଣୁ ସାମ୍ବିଧାନୀକ ପୀଠର ଏହି ନିଷ୍ପତ୍ତି ପରେ ତାଙ୍କର ନିର୍ବାଚନ ଅସିଦ୍ଧ ହୋଇଯାଇଛି। ସେହିପରି ଲାମିଛାନେ ତାଙ୍କ ନିଜ ପାର୍ଟି ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଅଧ୍ୟକ୍ଷ ଭାବେ ମଧ୍ୟ ଅଯୋଗ୍ୟ ହୋଇଛନ୍ତି। ୨୦୨୨ ସାଧାରଣ ନିର୍ବାଚନରେ ଲାମିଛାନେ ଚିତବନ-୨ରୁ ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିଲେ। ସରକାର ଗଠନ କାଳରେ ତାଙ୍କୁ ଉପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଯୁକ୍ତ କରାଯିବା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ରାଜନୀତିକୁ ଆସିବାର କିଛି ମାସ ପୂର୍ବରୁ ଲାମିଛାନେ ଏକ ଟେଲିଭିଜନ ଚାନେଲର ଆଙ୍କର ଥିଲେ। ସେ ଟିଭି ସୋ ହୋଷ୍ଟ କରୁଥିଲେ। ତେବେ ପରେ ସେ ପଦରୁ ଇସ୍ତଫା ଦେଇ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଗଢିଥିଲେ। ପ୍ରଥମ ନିର୍ବାଚନରେ ହିଁ ରବି ଲାମିଛାନେ ସଫଳତାର ଶିଖରରେ ପହଞ୍ଚିଥିଲେ। ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ଚତୁର୍ଥ ବୃହତ୍ତ ପାର୍ଟି ଭାବେ ଉଭା ହୋଇଥିଲା।