ଭାରତ ସ୍ଥଳସେନାଧ୍ୟକ୍ଷଙ୍କ ନେପାଳ ଗସ୍ତ ପୂର୍ବରୁ ଓଲିଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ହଟିଲେ ପ୍ରତିରକ୍ଷାମନ୍ତ୍ରୀ

Published By : Prameya-News7 Bureau | October 15, 2020 IST

କାଠମାଣ୍ଡୁ ୧୫।୧୦: ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ତାଙ୍କ ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳ କରିଛନ୍ତି। ଭାରତ ସ୍ଥଳସେନାଧ୍ୟକ୍ଷଙ୍କ ନେପାଳ ଗସ୍ତକୁ ନଜରରେ ରଖି ଏହି ଅଦଳବଦଳ ହୋଇଥିବା ବେଳେ ଉପ ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷାମନ୍ତ୍ରୀ ଈଶ୍ୱର ପୋଖରେଲଙ୍କୁ ଓଲି ପଦରୁ ହଟାଇ ତାଙ୍କ ମନ୍ତ୍ରାଳୟ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି।

ଈଶ୍ୱର ପୋଖରେଲ ଓଲିଙ୍କ ବିଶ୍ୱସ୍ଥ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତେବେ ତାଙ୍କ ନିକଟରୁ ଦାୟିତ୍ୱ ବାହାର କରିନିଆଯିବା ପରେ ସେ କେବଳ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ଭାରତ ସହ କୂଟନୈତିକ ଓ ରାଜନୈତିକ ବିବାଦରେ ନେପାଳ ସେନାକୁ ନ ଘୋଷାଡିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ୱେ ପୋଖରେଲ ପ୍ରତିରକ୍ଷାମନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ଭାରତୀୟ ସେନା ସହ ନେପାଳୀ ସେନାର ବିବାଦ କେବଳ ବଢାଇନାହାନ୍ତି ବରଂ   ବାଧ୍ୟକରି ନେପାଳ ସେନାଧ୍ୟକ୍ଷଙ୍କୁ କାଲାପାନୀ ମଧ୍ୟ ପଠାଇଥିଲେ। ଏଥିରେ ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ନେପାଳ ଗସ୍ତରେ ଯାଉଥିବାରୁ ଓଲି ପରିସ୍ଥିତିର ମୁକାବିଲା ଲାଗି ଦାୟିତ୍ୱ ନିଜ ହାତକୁ ନେଇଛନ୍ତି।

ପୋଖରେଲ ପ୍ରତିରକ୍ଷାମନ୍ତ୍ରୀ ଥିବା ବେଳେ ଭାରତୀୟ ସେନାଧ୍ୟକ୍ଷ  ନରୱାଣେଙ୍କ ବୟାନକୁ ବିରୋଧ କରିବା ଲାଗି ସେନା ଉପରେ ଚାପ ପକାଉଥିଲେ। ତେବେ ପ୍ରତିରକ୍ଷାମନ୍ତ୍ରୀଙ୍କ ଚାପକୁ ନେପାଳୀ ସେନା ଅଗ୍ରାହ୍ୟ କରିଦେଇଥିଲା। ଏହା ସତ୍ତ୍ୱେ ପ୍ରତିରକ୍ଷାମନ୍ତ୍ରୀ ତ୍ରୁଟିପୂର୍ଣ୍ଣ ବୟାନବାଜୀ କରୁଥିବାରୁ ନେପାଳ ସେନାଧ୍ୟକ୍ଷ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଥିଲେ। ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଅତୀତରେ ନେପାଳ ପ୍ରତିରକ୍ଷାମନ୍ତ୍ରୀ ଥିଲେ। ଏଣୁ ମାମଲାରେ ସେନାକୁ ମଝିକୁ ନ ନେବା ଲାଗି ବାରମ୍ବାର ଚାପ ପକାଉଥିଲେ। ଏଥିରେ ଗୁରୁବାର ଭାରତୀୟ ସ୍ଥଳସେନାଧ୍ୟକ୍ଷଙ୍କ ନେପାଳ ଗସ୍ତ କାର୍ଯ୍ୟକ୍ରମ ଘୋଷଣା ହେବାରେ ପ୍ରଧାନମନ୍ତ୍ରୀ ପୋଖରେଲଙ୍କ ଦାୟିତ୍ୱ କାଢି ନେଇଛନ୍ତି। ତେବେ ଏହି ପଦକ୍ଷେ କେବଳ ନରୱାଣେଙ୍କ ନେପାଳ ଗସ୍ତ ଶେଷ ପର୍ଯ୍ୟନ୍ତ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.