ପ୍ରଥମ ଦକ୍ଷିଣ ଏସିଆ ରାଷ୍ଟ୍ର ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେଲା ନେପାଳ

Published By : Prameya-News7 Bureau | November 29, 2023 IST

କାଠମାଣ୍ଡୁ: ପ୍ରଥମ ଦକ୍ଷିଣ ଏସିଆ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେଲା ନେପାଳ। ନେପାଳି ସୁପ୍ରିମକୋର୍ଟ ଏହି ତର୍କକୁ ଉଚିତ୍ ବୋଲି ବିଚାର କରିବାର ୫ ମାସ ପରେ ବୁଧବାର ପ୍ରଥମେ ସମଲିଙ୍ଗୀ ବିବାହକୁ ଅନୁମତି ମିଳିଛି। ଫଳରେ ପ୍ରଥମ ଦକ୍ଷିଣ ଏସିଆ ରାଷ୍ଟ୍ର ଭାବେ ନେପାଳ ଏପରି କାରିପାରିଛି।   

୨୦୧୫ରେ ଗ୍ରହଣ କରାଯାଇଥିବା ନେପାଳ ସମ୍ବିଧାନରେ ଯୌନ ଇଚ୍ଛା ଆଧାରରେ ଭେଦଭାବ କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ଏହି ଆଧାରରେ ଅନେକ ସମୟରେ ଦେଶରେ ତର୍କ ଲାଗି ରହିଥିଲା। ଶେଷରେ ଆଜି ପ୍ରଥମ ସମଲିଙ୍ଗୀ ବିବାହକୁ ପଞ୍ଜିକୃତ କରିଛି ନେପାଳ।

୩୫ ବର୍ଷୀୟା କିନ୍ନର ମହିଳା ମାୟା ଗୁରୁଙ୍ଗ ଓ ୨୭ ବର୍ଷୀୟ ସମଲିଙ୍ଗୀ ଯୁବକ ସୁରେନ୍ଦ୍ର ପାଣ୍ଡେ ଆଇନ ସମ୍ମତ ଭାବେ ବିବାହ କରିଛନ୍ତି। ପଶ୍ଚିମ ନେପାଳର ଲାମଜୁଙ୍ଗ ଜିଲ୍ଲା ଜୋର୍ଡି ରୁରାଲ ମ୍ୟୁନିସିପାଲିଟି ଉଭୟଙ୍କ ବିବାହ ପଞ୍ଜିକୃତ ହୋଇଛି। କିନ୍ନରମାନଙ୍କ ପାଇଁ ସେବା କରୁଥିବା ସଂସ୍ଥା ବ୍ଲୁ ଡାଇମଣ୍ଡ ସୋସାଇଟିର ଅଧ୍ୟକ୍ଷ ସଞ୍ଜୀବ(ପିଙ୍କି) ଗୁରୁଙ୍ଗ ଏହି ସୂଚନା ଦେଇଛନ୍ତି।

ତେବେ ୨୦୦୭ରେ ନେପାଳ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଥିଲେ। ସଞ୍ଜୀବ ଗୁରୁଙ୍ଗ ସମେତ ଏକାଧିକ ଲୋକ ସୁପ୍ରିମକୋର୍ଟରେ ଲିଖିତ ଆବେଦନ କରିବା ପରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ରାୟ ଶୁଣାଇଥିଲେ। ଏହାପରେ ୨୭ ଜୁନ ୨୦୨୩ ନେପାଳୀ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ।

ପଢ଼ନ୍ତୁ-ମଦ ନୀତି ଦୁର୍ନୀତି ମାମଲା: ପୁନର୍ବିଚାର ପାଇଁ ପୁଣିଥରେ ସୁପ୍ରିମକୋର୍ଟରେ ଆବେଦନ କଲେ ମନୀଷ ସିସୋଦିଆ

ଏହା ସତ୍ତ୍ୱେ ବି ଆବଶ୍ୟକୀୟ ଆଇନ ନଥିବାରୁ କାଠମାଣ୍ଡୁ ଡିଷ୍ଟ୍ରିକ୍ଟ କୋର୍ଟ ଏହି ପଦକ୍ଷେପକୁ ପ୍ରତ୍ୟାଖାନ କରିଥିଲେ। ସେତେବେଳେ ଏହି ସୁରେନ୍ଦ୍ର ପାଣ୍ଡେ ଓ ମାୟା ଗୁରୁଙ୍ଗଙ୍କ ବିବାହ ପ୍ରତ୍ୟାଖାନ କରାଯାଇଥିଲା। ହେଲେ ଏବେ ପ୍ରଥମ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିଥିବାରୁ ନେପାଳ କିନ୍ନର ଓ ସମଲିଙ୍ଗୀ ଗୋଷ୍ଠୀ ଖୁସି ବ୍ୟକ୍ତ କରିଛନ୍ତି। ପଦକ୍ଷେପକୁ ସ୍ୱାଗତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.