ଶୁକ୍ରବାରଠୁ ଆରମ୍ଭ ହେବ ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ୍ ସିରିଜ୍ : ୧୮ବର୍ଷ ମଧ୍ୟରେ ଓ୍ବିଲିଙ୍ଗଟନରେ କୌଣସି ବି ମ୍ୟାଚ୍ ଜିତି ନାହାନ୍ତି ଉଭୟ ଟିମ୍
20/02/2020 at 10:59 AM

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ମ୍ୟାଚର ଟେଷ୍ଟ୍ ସିରିଜ ଆସନ୍ତା ଶୁକ୍ରବାରଠୁ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟ୍ ଫେବୃୟାରୀ ୨୧ରୁ ୨୫ତାରିଖ ମଧ୍ୟରେ ଓ୍ବିଲିଙ୍ଗଟନର ବେସିନ୍ ରିଜର୍ଭ ପାର୍କରେ ଖେଳାଯିବ। ଉଭୟ ଟିମ୍ ଦୁଇ ଦିନ ପୂର୍ବରୁ ଏଠାରେ ପହଞ୍ଚି ସାରିଛି ଏବଂ ପ୍ରଥମ ଟେଷ୍ଟ୍ ଜିତିବା ପାଇଁ ଜୋରସୋରରେ ଉଦ୍ୟମ ଚଳାଇଛି।

୨୦୦୨ମସିହାଠୁ ନେଇ ଏବେ ଯାଏଁ ଓ୍ବିଲିଙ୍ଗଟନର ବେସିନ ରିଜର୍ଭରେ ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ସମସ୍ତ ଟେଷ୍ଟ୍ ଡ୍ର ରହିଛି। ପ୍ରଥମ ମ୍ୟାଚ୍ ୨୦୦୯ମସିହାରେ ଆୟୋଜିତ କରାଯାଇଥିଲା ସେତେବେଳେ ଇଣ୍ଡିଆ ଟିମର କମାଣ ଧୋନିଙ୍କ ହାତରେ ଥିଲା। ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୭୯ ଏବଂ ଦ୍ବିତୀୟ ଇନିଂସରେ ୪୩୪ ରନ୍ ଘୋଷିତ କରିଥିଲା। ଶେଷରେ ଚତୁର୍ଥ ଇନିଂସରେ ୬୧୭ରନର ଲକ୍ଷ୍ୟ ମିଳିଥିଲା। ଏହା ପରେ ୨୦୧୪ମସିହାରେ ଇଣ୍ଡିଆ ଟିମ୍ ଏଠାକୁ ପୁଣି ଥରେ ଟେଷ୍ଟ୍ ଖେଳିବାକୁ ଆସିଥିଲା ଯେଉଁଥିରେ ଭାରତକୁ ଶେଷ ଇନିଂସରେ ଜିତିବା ପାଇଁ ୪୩୫ରନର ଟାର୍ଗେଟ୍ ମିଳିଥିଲା। କିନ୍ତୁ ବିରାଟ କୋହଲିଙ୍କ ଶତକ ଯୋଗୁଁ ଇଣ୍ଡିଆ ଟିମକୁ ଅଲଆଉଟ୍ କରିପାରିନଥିଲେ ଏବଂ ମ୍ୟାଚ୍ ଡ୍ର ହୋଇଯାଇଥିଲା।

ଓ୍ବିଲିଙ୍ଗଟନର ବେସିନ ରିଜର୍ଭରେ ଭାରତ,ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍ ୧୯୬୮ମସିହାରେ ଖେଳିଥିଲା। ସେତେବେଳେ ଭାରତୀୟ ଟିମର ଅଧିନାୟକ ନଓ୍ବାବ ପଟୌଦି ଥିଲେ ଏବଂ ଭାରତକୁ ପ୍ରଥମ ମ୍ୟାଚରେ ୮ଓ୍ବିକେଟରେ ବିଜୟ ମିଳିଥିଲା।

ଏହି ମଇଦାନରେ ଇଣ୍ଡିଆ ଟିମର ସବୁଠୁ ବଡ଼ ଟେଷ୍ଟ୍ ହାର ଇନିଂସ୍ ୩୩ରନରେ ଥିଲା। ଏହି ମ୍ୟାଚ୍ ୧୯୭୬ମସିହାରେ ଖେଳା ଯାଇଥିଲା ସେତେବେଳେ ଇଣ୍ଡିଆ ଟିମର ଅଧିନାୟକ ବିଶନ ସିଂହ ବେଦୀ ଥିଲେ। ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୨୦ରନ୍ କରିଥିଲେ ଏବଂ ଦ୍ବିତୀୟ ଇନିଂସ୍ କେବଳ ୮୧ରନରେ ସୀମିତ ଥିଲା। ଯାହା ଫଳରେ ଭାରତ ୩୩ରନରେ ହାରିଥିଲା।