କର୍ଣ୍ଣାଟକ ପାଠ୍ୟପୁସ୍ତକକୁ ଫେରିଲେ ନେହେରୁ, ବାଦ୍ ପଡ଼ିଲା RSS ସଂସ୍ଥାପକଙ୍କ ଜଡ଼ିତ ଅଧ୍ୟାୟ
15/06/2023 at 11:30 PM

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଗୁରୁବାର ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ କନ୍ନଡ଼ ଏବଂ ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ସଂଶୋଧ ଅନୁଯାୟୀ, ପୁସ୍ତକରୁ ଆରଏସଏସ ସଂସ୍ଥାପକ କେଶବ ବଲିରାମ ହେଡଗେଓ୍ଵାରଙ୍କ ଅଧ୍ୟାୟକୁ ହଟାଇ ଦିଆଯାଇଛି। ଅନ୍ୟପଟେ ପାଠ୍ୟପୁସ୍ତକରେ ସାବିତ୍ରୀବାଇ ଫୁଲେ, ଚକ୍ରବର୍ତ୍ତୀ ସୁଲିବେଲେ, ଇନ୍ଦିରା ଗାନ୍ଧୀଙ୍କୁ ଜବାହରଲାଲା ନେହେରୁଙ୍କ ଚିଠି ଏବଂ ବିଆର ଆମ୍ବେଦକରଙ୍କ ଲିଖିତ କବିତାକୁ ସଂଯୋଗ କରାଯାଇଛି। ସରଳ ଭାଷାରେ କହିବାକୁ ଗଲେ ବିଜେପି ସରକାର ଦ୍ଵାରା କରାଯାଇଥିବା ସମସ୍ତ ପରିବର୍ତ୍ତନକୁ ରାଜ୍ୟର କଂଗ୍ରେସ ସରକାର ପୁନର୍ବାର ଲାଗୁ କରିଛନ୍ତି।

କ୍ୟାବିନେଟ୍ ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କନ୍ନଡ଼ ଏବଂ ସାମାଜିକ ବିଜ୍ଞାନର ପାଠ୍ୟପୁସ୍ତକର ପାଠ୍ୟକ୍ରମରେ ସଂଶୋଧନକୁ ମଞ୍ଜୁରୀ ଦେଇଛି। ଏଥିସହ ମନ୍ତ୍ରିମଣ୍ଡଳ ସମସ୍ତ ବିଦ୍ୟାଳୟ ଏବଂ କଲେଜରେ ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନା ପାଠକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ, ଶିକ୍ଷାନୁଷ୍ଠାନର ପାଠ୍ୟ ପୁସ୍ତକରେ ବିଜେପି ସରକାର ଦ୍ଵାରା କରାଯାଇଥିବା ପରିବର୍ତ୍ତନକୁ ହଟାଇ ଦେବ। କଂଗ୍ରେସ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ମଧ୍ୟ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲା।

କଂଗ୍ରେସ କ୍ଷମତାକୁ ଆସିବା ପରେ ଲେଖକ, ବିଚାରକ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଭେଟିଥିଲେ ଏବଂ ପାଠ୍ୟପୁସ୍ତକ ସଂଶୋଧନ ସମ୍ବନ୍ଧରେ ଦାବି ପତ୍ର ଦେଇଥିଲେ। ମନ୍ତ୍ରିମଣ୍ଡଳ ରାଜ୍ୟରେ ସମସ୍ତ ସ୍କୁଲ ଏବଂ କଲେଜ ପାଇଁ ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନାର ପାଠ ବାଧ୍ୟତାମୂଳକ କରିବାକୁ ନିର୍ଣ୍ଣୟ ନେଇଛନ୍ତି। ଏହା ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସରକାରୀ ସ୍କୁଲରେ ବାଧ୍ୟତାମୂଳକ ଲାଗୁ ହେବ।