ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ନୁହନ୍ତି ସୁଭାଷ ବୋଷ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା
28/09/2023 at 4:37 PM

ବେଙ୍ଗାଲୁରୁ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ବୋଲି ପଚାରିଲେ ଛୋଟ ଠାରୁ ବୟସ୍କ ସମସ୍ତେ କହିବେ ଜବାହାର ଲାଲ ନେହରୁ। ହେଲେ ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକ ବିଧାୟକ ବସନଗୌଡ଼ ପାଟିଲ ୟାତନାଲ କିନ୍ତୁ ଅଲଗା କଥା କହିଛନ୍ତି। ନେହରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନୁହଁନ୍ତି ବୋଲି ଏହି ବରିଷ୍ଠ ବିଜେପି ନେତା କହିଛନ୍ତି। ଯାହାକୁ ନେଇ ଏବେ ନୂଆ ବିବାଦ ଆରମ୍ଭ ହୋଇଯାଇଛି।
ଏକ ଜନସଭା କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିଜେପି ବିଧାୟକ କହିଛନ୍ତି “ନେହରୁ ପ୍ରଥମ ପ୍ରଧାନମନ୍ତ୍ରୀ ନଥିଲେ। ସୁଭାଷ ଚନ୍ଦ୍ର ବୋଷ ଥିଲେ।” ବୋସ୍ ବ୍ରିଟିଶଙ୍କ ମନରେ ଭୟ ଦେଖାଇବାରୁ ସେମାନେ ଭାରତ ଛାଡ଼ି ଗଲେ ବୋଲି ୟତନାଲ କହିଛନ୍ତି।
ପୂର୍ବତନ ରେଳ ରାଷ୍ଟ୍ର ଓ ବୟନଶୀଳ୍ପ ମନ୍ତ୍ରୀ ଥିବା ଶ୍ରୀ ପାଟିଲ୍ କହିଛନ୍ତି “ବାବା ସାହେବ ଏକ ପୁସ୍ତକରେ ଲେଖିଛନ୍ତି ଯେ ଆମ ଅନ୍ନସନ କରିବାରୁ ଆମକୁ ସ୍ୱାଧୀନତା ମିଳି ନାହିଁ। ଗୋଟିଏ ଗାଲକୁ ଚାପୁଡ଼ା ମାରିଲେ ଆମେ ଅନ୍ୟ ଏକ ଗାଲ ଦେଖାଇବୁ ବୋଲି କହିବାରୁ ବି ସ୍ୱାଧୀନତା ମିଳି ନାହିଁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭୟ ଜନ୍ମାଇବାରୁ ହିଁ ଆମକୁ ସ୍ୱାଧୀନାତ ମିଳିଛି।”
ସେ ଆହୁରି କହିଛନ୍ତି “ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟିଶରମାନେ ଚାଲିଗଲେ। ଯେତେବେଳେ ଦେଶର କିଛି ଅଞ୍ଚଳକୁ ସ୍ୱାଧୀନ ବୋଲି ଘୋଷଣା କରାଯାଇଥିଲା ସେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହିଁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କର ସ୍ୱତନ୍ତ୍ର ମୁଦ୍ରା, ପତାକା ଓ ଜାତୀୟ ସଂଗୀତ ଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କୁହନ୍ତି ନେହରୁଙ୍କୁ ନୁହେଁ।”
ପଢନ୍ତୁ-ତାମିଲନାଡୁରେ ନୂଆ ମେଣ୍ଟ ସହ ମିଶି ସଂସଦୀୟ ନିର୍ବାଚନ ଲଢ଼ିବ ଏଆଇଏଡିଏମ୍କେ
ବିଜେପିର ଫାୟାରବ୍ରାଣ୍ଡ୍ ନେତା ବାସନଗୌଡ ପାଟିଲ ୟାତନାଲ ଅନେକ ସମୟରେ ତାଙ୍କ ବିବାଦୀୟ ବୟାନକୁ ନେଇ ସେ ବିବାଦରେ ରହିଥାନ୍ତି। ଅଗଷ୍ଟ ମାସରେ ସେ ରାଜ୍ୟରେ କଂଗ୍ରେସ ସରକାର ଭାଙ୍ଗିବା ନେଇ ଖୋଲାଖୋଲି କହିଥିଲେ। ଆସନ୍ତା ୬-୭ ମାସ ମଧ୍ୟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ୟାତନାଲ କହିଥିଲେ। ଅନ୍ତଃ କନ୍ଦଳ ପାଇଁ କଂଗ୍ରେସରେ ଫାଟ ହେବ ବୋଲି ସେ କହିଥିଲେ।