‘ପ୍ରତି ଥର ଖେଳାଳିଙ୍କ ଦିନ ହୋଇନଥାଏ; ପ୍ରତିଯୋଗିତାରୁ ଭଲ ଅଭିଜ୍ଞତା ମିଳିଲା, ସୁଧାରିବାକୁ ଚେଷ୍ଟା କରିବି’

Published By : Prameya-News7 Bureau | August 09, 2024 IST

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭେଲିନ୍ ବୟ ନୀରଜ ଚୋପ୍ରାଙ୍କୁ ସିଲଭର ମେଡାଲ । ଫାଇନାଲରେ ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଟୋକିଓ ଅଲିମ୍ପିକ୍ସର ଗୋଲ୍ଡ ମେଡାଲ ବିଜେତା ନୀରଜଙ୍କୁ ଏଥର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହିବା ସବିତ ସ୍ବର୍ଣ୍ଣ ପଦ ଜିତିଛନ୍ତି ।  

ରୌପ୍ୟ ପଦକରୁ ନେଇ ନୀରଜ ଚୋପ୍ରା ସାମାନ୍ୟ ଅସନ୍ତୁଷ୍ଟ ରହିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରତି ଥର ଖେଳାଳିଙ୍କ ଦିନ ହୋଇନଥାଏ । ହେଲେ ପ୍ରତିଯୋଗିତାରେ ଅଭିଜ୍ଞତା ଭଲ ରହିଛି । ପ୍ୟାରିସ୍ ଅଲିମ୍ପିକ୍ସ ଭଲରେ କଟିଛି ବୋଲି ସେ କହିଛନ୍ତି । ଫାଇନାଲରେ ପାକିସ୍ତାନ ଅର୍ଶଦ ନଦୀମ ନିଜର ବେଷ୍ଟ ଦେଇଛନ୍ତି । ବୋଧେ ଅର୍ଶଦଙ୍କ ଦିନ ଥିଲା, ସେଥିପାଇଁ ସେ ଫାଇନାଲରେ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି । ଟୋକିଓ, ବୁଡ଼ାପେଷ୍ଟ, ଏସିୟା ଗେମରେ ଭାରତ ପାଇଁ ଦିନ ଥିଲା, ତେଣୁ ଏହି ସବୁ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ମିଳିଥିଲା । ପ୍ୟାରିସ ଅଲିମ୍ପିକ୍ସରୁ କିଛି ଶିଖିବାକୁ ମିଳିଛି । ଆଗକୁ ଯେପରି କୌଣସି ପ୍ରକାର ଭୁଲ୍ ନହୁଏ, ସେଥିପ୍ରତି ଧ୍ୟାନ ଦେବି ଏବଂ ସୁଧାରିବାକୁ ଚେଷ୍ଟା କରିବି ବୋଲି ଏଏନଆଇକୁ ସାକ୍ଷାତକାର ଦେଇ ନୀରଜ ଚୋପ୍ରା କହିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଜାତୀୟ ସଙ୍ଗୀତ ବାଜିବା ଆଶା ଥିଲା ହେଲେ ଏହି ଆଶାରେ ରହିଗଲା। ମାତ୍ର ଆଗକୁ ନିଶ୍ଚିତ ଭାବେ ଜାତୀୟ ସଙ୍ଗୀତ ବାଜିବ ବୋଲି ନୀରଜ କହିଛନ୍ତି । 


ରୌପ୍ୟ ପଦକ ସହ ୨୬ ବର୍ଷୀୟ ନୀରଜ ଚୋପ୍ରା ଏକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି । ସେ କ୍ରମାଗତ ଦୁଇ ଅଲିମ୍ପିକ୍ସରେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ଭାରତର ବ୍ୟକ୍ତିଗତ ଇଭେଣ୍ଟ ସୁଟିଂରେ ଅଭିନବ ବିନ୍ଦ୍ରା ବେଜିଂ ୨୦୦୮ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ମାତ୍ର ଏହା ପରେ ସେ କୌଣସି ପଦକ ଜିତି ନ ଥିଲେ । 

ସୂଚନାଯୋଗ୍ୟ, ନୀରଜଙ୍କ ରୌପ୍ୟ ପଦକୁ ମିଶାଇ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏ ପର୍ଯ୍ୟନ୍ତ ୫ଟି ପଦକ ଜିତିଛି। ଏହି ଚାରି ପଦକ କାଂସ୍ୟ ପଦକ ଭାବେ ମିଳିଛି। ପ୍ରଥମେ ମନୁ ଭାକର ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ଜିତିଥିଲେ। ପୁଣି ମିଶ୍ରିତ ବର୍ଗରେ ସରବଜୋତ ସିଂଙ୍କ ସହ ମିଶି ମନୁ ଦ୍ଵିତୀୟ କାଂସ୍ୟ ଜିତିଥିଲେ। ସ୍ଵପ୍ନିଲ କୁସାଲେ ସୁଟିଂରେ ଦେଶ ପାଇଁ ତୃତୀୟ ପଦକ ଜିତିଥିଲେ। ଆଜି ଭାରତୀୟ ହକି ଦଳ ୨-୧ ଗୋଲରେ ସ୍ପେନକୁ ହରାଇ କାଂସ୍ୟ ପଦକ ଜିତିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.