ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାତୀୟ ସୁରକ୍ଷା ପାଇଁ ସହଯୋଗ ଲୋଡ଼ିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

Published By : Prameya-News7 Bureau | March 24, 2022 IST

ନୂଆଦିଲ୍ଲୀ: ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟର ଆର୍ଥିକ ସ୍ଥିତି ବିଷୟରେ ଅବଗତ କରାଇବା ସହିତ ରାଜ୍ୟର ଜାତୀୟ ସୁରକ୍ଷା ପାଇଁ ସହଯୋଗ ଲୋଡ଼ିଛନ୍ତି ଶ୍ରୀ ମାନ।

ବୁଧବାର ସଂସଦରେ ଥିବା ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌କୁ ଯାଇ ମୋଦୀଙ୍କୁ ଭେଟିଛନ୍ତି ମାନ। ଦେଶର ସ୍ୱାଧୀନତାପ୍ରାପ୍ତି ସହିତ ଦେଶର ସ୍ୱାଧିନତାକୁ ବଞ୍ଚାଇ ରଖିବା ପାଇଁ ପଞ୍ଜାବ ସର୍ବଦା ସଗୌରବେ ଛିଡ଼ା ହୋଇଛି। ସେ କହିଛନ୍ତି "ଜାତୀୟ ସୁରକ୍ଷା ପାଇଁ ଆମେ ପରସ୍ପରର ସହଯୋଗ ଆବଶ୍ୟକ କରୁଛି। ଦେଶର ଶତ୍ରୁମାନେ ଅନେକ ସମୟରେ ପଞ୍ଜାବର ବାତାବରଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ରାଜ୍ୟର ସାମାଜିକ ବନ୍ଧନ ଖୁବ୍ ମଜଭୁତ। ଲୋକମାନେ ଶାନ୍ତି ଚାହାଁନ୍ତି।"   

ମାନଙ୍କ ସହିତ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ଶ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ସୁରକ୍ଷା ପାଇଁ ପଞ୍ଜାବ ସରକାର ଯାହା ବି ପ୍ରସ୍ତାବ ଦେବେ କେନ୍ଦ୍ର ସରକାର ସହଯୋଗ କରିବାକୁ ରାଜି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।   ଏହାପରେ ରାଜ୍ୟର ଆର୍ଥିକି ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଶ୍ରୀ ମାନ। ରାଜ୍ୟ ବର୍ତ୍ତମାନ ଋଣରେ ବୁଡ଼ି ରହିଛି। ମୁଣ୍ଡରେ ୩ ଲକ୍ଷରୁ ଅଧିକ ଋଣ ରହିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇ ସେ କହିଛନ୍ତି "ନୂଆ ସରକାର ଗଠନ ହେବା ପରଠାରୁ ଆମେମାନେ ଦିନ ରାତି ମିଶି କାମ କରିବା ଆରମ୍ଭ କରିଦେଇଛୁ। ମାଫିଆମାନେ ରାଜସ୍ୱ ଫାଣ୍ଠି ଲୁଟିନେଇଛନ୍ତି। ଆମେ ଏହାକୁ ଶେଷ କରିଦେଇଛୁ। ରାଜ୍ୟର ପାଣ୍ଠି ପୂରଣ କରିବା ଆମର ଲକ୍ଷ୍ୟ। ଏଥିପାଇଁ କେନ୍ଦ୍ର ସରକାର ଅନ୍ତତଃପକ୍ଷେ ଦୁଇ ବର୍ଷ ପାଇଁ ୫୦ ହଜାର କୋଟି ଲେଖାଏ ଆର୍ଥିକ ପ୍ୟାକ୍‌ଜେ ଘୋଷଣା କରନ୍ତୁ। ସେପର୍ଯ୍ୟନ୍ତ ଆମେ ଆମପାଣ୍ଠିକୁ ପରିଚାଳନା କରି ପଞ୍ଜାବକୁ ନିଜ ଗୋଡ଼ରେ ଛିଡ଼ା କରିବାକୁ ଚେଷ୍ଟା କରୁଛୁ।"

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋର ବିଶ୍ୱାସ ଯେ ପ୍ରଧାନମନ୍ତ୍ରୀ ପଞ୍ଜାବକୁ ଆର୍ଥିକ ସହଯୋଗ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ରାଜ୍ୟ ଦେଶ ସ୍ୱାଧୀନତାରେ ଅନେକ ବଳିଦାନ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ସହଯୋଗକୁ ମୁଁ ପଞ୍ଜାବର ବିକାଶ କାମରେ ଲଗାଇବି। ଯାହା ଦେଶ ପାଇଁ ଲାଭଦାୟକ ହେବ ବୋଲି ଶ୍ରୀ ମାନ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.