ଜୀବନ ଯନ୍ତ୍ରଣାରେ ଦୂତିକା: ଗାଲରେ ବଢ଼ୁଛି ମାଂସ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Published By : Prameya-News7 Bureau | October 18, 2022 IST

ନବରଙ୍ଗପୁର ୧୮/୧୦: ଅସ୍ଵାଭାବିକ ଭାବରେ ଯୁବତୀଙ୍କ ମୁହଁରେ ବଢୁଛି ମାଂସ। ଅର୍ଥାଭାବରୁ ଭାଗ୍ୟକୁ ଆଦରି ଚିକିତ୍ସା ସେବା ପାଉ ନାହାନ୍ତି ଯୁବତୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର କଣ୍ଟାସାରୁ ଏକ ଛୋଟିଆ ଗାଁ। ଏହି ଗାଁରେ ରହୁଥିବା ବିଧବା ମହିଳା ଜେମା ଯାନୀଙ୍କ ବଡ଼ ଝିଅ ଦୂତିକା ଯାନୀ (୨୦)। ସେ କିଛି ମାସ ତଳେ ଦାଦନ ଖଟିବାକୁ କେରଳ ତିରପୁର ଅଞ୍ଚଳକୁ ଯାଇଥିଲେ। ସେଠାରେ ଦୁତିକାଙ୍କ ଗାଲ ଫୁଲି ଯନ୍ତ୍ରଣା ହୋଇଥିଲା,ତେଣୁ ସେ ଘରକୁ ଫେରିଥିଲେ। ପ୍ରଥମେ ଘର ଲୋକ ଦୁତିକାଙ୍କ ଗାଲ ଫୁଲିବା ଦେଖି ଗାଲୁଆ ହୋଇଥିବ ଭାବିଥିଲେ। କିନ୍ତୁ ଏହା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଲା। ଗାଲରେ ଅଧିକ  ଯନ୍ତ୍ରଣା ମଧ୍ୟ ହେଲା।

ଶେଷରେ ପରିବାର ଲୋକ ପ୍ରଥମେ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଦୁତିକାଙ୍କ ଏପରି ଅବସ୍ଥା ଦେଖି ସେଠାରେ ଡାକ୍ତର କଟକ ବଡ଼ଡାକ୍ତରଖାନା କିମ୍ବା ବିଶାଖାପାଟଣା ନେବାକୁ ପରାମର୍ଶ ଦେଇଥିଲେ। ଦୁତିକାଙ୍କ ପକ୍ଷରେ ଏତେ ଦୂର ଯାଇ ବ୍ୟୟବହୁଳ ଚିକିତ୍ସା କରାଇବା ଏବେ  ସମ୍ଭବ  ନୁହେଁ । ଫଳରେ ଦୁତିକାଙ୍କ ଚିକିତ୍ସା ନକରି ଘରକୁ ଆଣି ପକେଇ ରଖିଛନ୍ତି।

ବାପା ଛେଉଣ୍ଡ ଦୁତିକାଙ୍କ ପରିବାର କହିଲେ ବିଧବା ମାଆ, ଦୁଇ ସାନ ଭଉଣୀ ଓ ଗୋଟିଏ ଭାଇ। ଏହି ପାଞ୍ଚ ପ୍ରାଣୀଙ୍କ ପେଟ ପୋଷିବା ପାଇଁ ବିଧବା ମାଆ ଏବେ ପର ଘରେ କାମ କରି ପେଟକୁ ବହୁ କଷ୍ଟରେ ଦାନା ଯୋଗାଉଛନ୍ତି।  ବିଧବା ମାଆ ଏକା ବୋହିଥିବା ପରିବାରର ବୋଝକୁ ଟିକିଏ ହାଲୁକା କରିବା ପାଇଁ ଘରର ବଡ଼ଝିଅ ଦୂତିକା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ। କିନ୍ତୁ ଦଇବ ଦାଉ ସାଧିଲା, ରୋଜଗାର କରି ପରିବାରର ଦାୟିତ୍ୱ ନେବାପାଇଁ ମନସ୍ଥ କରିଥିବା ବଡ଼ଝିଅ ଏବେ ଶଯ୍ୟାଶାୟୀ। ଦୁତିକାର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ଦୂତିକା ଓ ତାଙ୍କ ପରିବାର ସରକାରଙ୍କୁ ନିବେଦନ କରିଛନ୍ତି। ଏବିଷୟ ଜାଣିବା ପରେ ସ୍ଥାନୀୟ ସରପଞ୍ଚ ଦୁତିକାଙ୍କ ଚିକିତ୍ସା ପାଇଁ ଆଗେଇ ଆସି ସେ କିଭଳି ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହେବେ ସେ ଦିଗରେ ପ୍ରୟାସ କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.